ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଜି ବି ଗ୍ରାମଞ୍ଚଳରେ ଗାଇ, ମଇଁଷି ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ କରିଥାନ୍ତି । ଅଣ୍ଡା, ମାଂସ, କ୍ଷୀର ଆଦି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକ ଅବହେଳିତ ଅବସ୍ଥାରେ ରହିଥିବାରୁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଶୁ ପକ୍ଷୀ ମାନଙ୍କୁ ନା ମିଳୁଛି ଉତ୍ତମ ଚିକିତ୍ସା ସେବା ନା ମିଳୁଛି ଔଷଧ । ଫଳରେ ଗୃହପାଳିତ ପଶୁ ପକ୍ଷୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଦିନ ଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ହରେକୃଷ୍ଣପୁର ପ୍ରାଣୀ ସହାୟକ କେନ୍ଦ୍ର ଉପରେ ଲୁଣିବାହାଲ, ଶାମ୍ପୂଚ, ବୀରନରସିଂହପୁର ଭଳି ତିନୋଟି ପଞ୍ଚୟତର ହଜାର ହଜାର ଚାଷୀ ନିର୍ଭର କରୁଥିଲେ । କିନ୍ତୁ କିଛି ବର୍ଷ ଠିକଠାକ ଚାଲିବା ପରେ ବର୍ତମାନ ସହାୟକ କେନ୍ଦ୍ର ଅସହାୟ ହୋଇପଡିଛି । ଏହିଭଳି ଜିଲ୍ଲାର ଅନ୍ୟ ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ପ୍ରାଣୀ ସହାୟକ କର୍ମଚାରୀ ୩୭ ଜଣଙ୍କ ଆବଶ୍ୟକତା ଥିବା ବେଳେ ବର୍ତମାନ ୧୯ ଜଣ ସହାୟକ କର୍ମଚାରୀ ରହିଛନ୍ତି । ଏନେଇ ବୌଦ୍ଧ ସିଡିଭିଓ କହିଛନ୍ତି, ଆମେ ଏଲଆଇଙ୍କ ସମେତ ଗୋ ମିତ୍ର, ପ୍ରାଣୀ ମିତ୍ରଙ୍କୁ ନେଇ ଗ୍ରାମାଞ୍ଚଳରେ ଉତ୍ତମ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛୁ । ଗୋଟିଏ ପଟେ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ଯୋଜନା କରୁଛନ୍ତି । ଅନ୍ୟପଟେ ବୈଦ୍ଧ ଜିଲ୍ଲାରେ ଜିଲ୍ଲାର ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକର ପୁନଃରୁଦ୍ଧାର ସହ ଆବଶ୍ୟକ ଡାକ୍ତର ନିଯୁକ୍ତି କରାଗଲେ ଚାଷୀଙ୍କ ଉନ୍ନତି ହୋଇପାରିବ।

