ଭୁବନେଶ୍ବର : ଖାଇବା ତେଲ ଓ ଡାଲି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଗଚ୍ଛିତ ଅଛି । ଗ୍ରାହକ ଆଦୌ ଆତଙ୍କିତ ହୋଇ ଅତ୍ୟାବଶ୍ୟକ ନାହିଁ । ଅସାଧୁ ବ୍ୟବସାୟୀ, କର୍ପୋରେଟ ମଲ ଅଯଥା ହୋର୍ଡ଼ି କରି ଲୋକଙ୍କୁ ହଇରାଣ ନକରିବାକୁ ଅପିଲ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ ଭାରତକୁ ପଣ୍ଯବାହୀ ଜାହାଜ ଆସିବା ପ୍ରଭାବିତ ହେବା ପରେ ସର୍ବସାଧାରଣରେ ଏଭଳି ଅପିଲ କରିଛି ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘ । ମହାସଂଘ କହିଛି, ଭାରତରେ ଚାହିଦା ତୁଳନାରେ ଖାଇବା ତେଲ ଉତ୍ପାଦନ ହୁଏନାହିଁ । ଏଥିପାଇଁ ବିଦେଶ ରାଷ୍ଟ୍ରରୁ ଆମଦାନୀ କରିବାକୁ ପଡ଼ିଥାଏ । ଖାଇବା ତେଲ ଆମଦାନୀ ବିଶେଷଭାବେ ହରମୁଜ ପ୍ରଣାଳୀ ବାଟରେ ହୋଇଥାଏ । କିନ୍ତୁ ଇରାନ ହରମୁଜ ପ୍ରଣାଳୀ ବନ୍ଦ କରିବା ପରେ ଖାଇବା ତେଲ ସଂକଟ ଆଗାମୀ ଦିିନରେ ଦେଇପାରେ । ସେଥିପାଇଁ ଭାରତ ସରକାର ଆମଦାନୀ କରୁଥିବା କମ୍ପାନୀଙ୍କ ଗୋଦାମ ଉପରେ ତୀକ୍ଷ୍ମ ନଜର ରଖିବା ଦରକାର
ଏବେ ଅତ୍ୟାବଶ୍ୟକ ଯୋଗାଣ ଶଙ୍ଖଳା ସ୍ବାଭାବିକ ରହିଛି । କୌଣସି ଗ୍ରାହକ ଅସାଧୁ ବ୍ୟବସାୟୀଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଯଦି କୌଣସି ବ୍ୟବସାୟୀ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଉପରେ ଅଧିକ ଅର୍ଥ ଦାବି କରୁଛନ୍ତି ତେବେ ତୁରନ୍ତ ଗ୍ରାହକ ସ୍ଥାନୀୟ ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ । ରାଜ୍ୟ ସରକାରଙ୍କୁ ଅନୁରୋଧ କରି ବ୍ୟବସାୟୀ ମହାସଂଘ କହିଛି, ଆଗାମୀ ଦିନରେ ବଡ଼ସରକାରଙ୍କ ମାର୍କେଟ ଇଣ୍ଟେଲିଜେନସକୁ ଲଗାଇ ବଡ଼ ବଡ଼ ମଲଗୁଡ଼ିକ ହୋର୍ଡ଼ିଂ କରିବା ଆଶଙ୍କା ରହିଛି । ସେଥିପାଇଁ ରାଜ୍ୟ ସରକାରଙ୍କ ମାର୍କେଟ ଇଣ୍ଟେଲିଜେନସ୍ ମଲଗୁଡ଼ିକର ଗୋଦାମ ଘରେ ନିୟମିତ ଚେକିଂ କରନ୍ତୁ । ସେହିଭଳି ଏହି ସମୟରେ ସାଧାରଣ ଗ୍ରାହକ ଅନଲାଇନରେ ଜିନିଷ କିଣିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।
ନହେଲେ ଠକାମିର ଶିକାର ବି ହୋଇପାରନ୍ତି । ବହୁ ନକଲି ଜିନିଷ, ଓଜନରେ କମ ରଖି ଅନଲାଇନ ସଂସ୍ଥା ବିକ୍ରି କରିବା ସମ୍ଭାବନା ରହିଛି । ବଜାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ମଧ୍ୟ କିଛି ଗୋଷ୍ଠୀ ସୋସିଆଲ ମିଡିଆ ଜରିଆରେ ଭୁଲ ଖବର ପ୍ରସାରଣ କରିପାରନ୍ତି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବା ଦରକାର । ଯଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଅଧିକ ଦିନ ଧରି ଲାଗି ରହେ ତାହେଲେ ଖାଇବା ତେଲ ଓ ଡାଲି ଆମଦାନୀ ବାଧା ପ୍ରାପ୍ତ ହେବ । ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏବେଠାରୁ ଖାଇବା ତେଲ ଅନ୍ୟ ରାଷ୍ଟ୍ରରୁ ଆଣି ମହଜୁଦ ରଖନ୍ତୁ । ଏବେ ଚାହିଦା ତୁଳନାରେ ଦେଶରେ ଡାଲି ଗଚ୍ଛିତ ରହିଛି । କିନ୍ତୁ ଆସନ୍ତା ଏକ ସପ୍ତାହ ଭିତରେ ଯଦି ସ୍ଥିତିରେ ସୁଧାର ନ ଆସେ ତାହେଲେ ବଜାରରେ ଖାଇବା ତେଲର ସଂକଟ ଦେଖାଦେବ ।

