ଭୁବନେଶ୍ବର : ସବୁ ଅପେକ୍ଷାର ଅନ୍ତ ଘଟିଲା । ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ନିର୍ବାଚନ ଲାଗି ଦୁଇଟି ପାର୍ଥୀ ଦେଲା ବିଜେଡି । ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା ହେଲେ ବିଜେଡି ରାଜ୍ୟସଭା ପାର୍ଥୀ । ଏ ନେଇ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି ସଂତୃପ୍ତ ମିଶ୍ର । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ୍ତ । ସେହିପରି ଡାକ୍ତର ଦତ୍ତେଶ୍ୱର ହୋତା ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି । ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ମଧ୍ୟ ଥିଲେ ଡାକ୍ତର ହୋତା । ତୃତୀୟ ଆସନ ପାଇଁ ଡକ୍ଟର ସଂତୃପ୍ତ ମିଶ୍ର ହେଲେ ପ୍ରାର୍ଥୀ । ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ବର ହୋତା ପ୍ରାର୍ଥୀ ।
ଏନେଇ ନବୀନ ନିବାସରେ ଆଜି ପୁଣି ବସିଥିଲା ବିଧାୟକ ଦଳ ବୈଠକ । ଏଥିରେ ସମସ୍ତ ବିଧାୟକ ଯୋଗଦେଇଥିଲେ । ଦଳୀୟ ସଂଗଠନ ସହ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ ହେଇଥିଲା । ଗତକାଲି ମଧ୍ୟ ନବୀନ ନିବାସରେ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଦଳୀୟ ସଂଗଠନ ନେଇ ଫିଡବ୍ୟାକ ନେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାପରେ ଆଗକୁ ଦଳ କଣ କରିବ ? ବିଧାନସଭାରେ ଆଭିମୁଖ୍ୟ ଓ ଜନସେବା ନେଇ ସେ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନବୀନ ।

