ଭୁବନେଶ୍ବର : ବିଜେଡିର ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏ ସରକାର କରୁଛି କଣ ? ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି । ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କିଛି କାର୍ଯ୍ୟକାରୀ କରୁଛନ୍ତି । ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ । ହେଲେ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳ ସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କରୁଛି କଣ ? ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି ।
ନିର୍ବାଚନ ପ୍ରତିଶୃତି ରକ୍ଷା କରିବାକୁ ଅନୁରୋଧ କରିଥିଲୁ । କଟନୀ ଛଟନି ବନ୍ଦ କରିବାକୁ କହିଥିଲୁ । ମିଲର ଓ ସରକାର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି । ୪୮ଘଣ୍ଟାରେ DBT ମାଧ୍ୟମରେ ଚାଷୀଙ୍କୁ ଦିଆଯାଉ । ୭୨ ଘଣ୍ଟାରେ ଧାନ କିଣା ଯାଉ। ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଚାଷୀଙ୍କ ପାଇଁ କିଛି ନାହିଁ। ବିଧାନସଭାରେ ବିଜେଡି ଚାଷୀଙ୍କ ପାଇଁ ସ୍ୱର ଉଠାଉଛି ହେଲେ ସରକାରଙ୍କ ଚାଷୀ ପାଇଁ ଖାତିର ନାହିଁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। କୌଣସି ସରକାରୀ ପରୀକ୍ଷା କରି ପାରୁନି ସରକାର। ରୋଜଗାର ନାହିଁ । ଖାଲି ଜୟ କିଷାନ କହୁଛନ୍ତି ହେଲେ ଚାଷୀ ପାଉଛି କଣ ? କଥା ନୁହେଁ କାମ ଦରକାର । ବିଜେଡି ଚାଷୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ । ବିଜେଡ଼ି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜାଇ ଦେବ ବୋଲି ଚରମ ଚେତାବନୀ ଦେଇଛନ୍ତି ନବୀନ ପଟ୍ଟନାୟକ ।

