ବିବାହ ୮ ଦିନ ପୂର୍ବରୁ ଜଳିଗଲା ଘର, ସାଂସଦ ବଢ଼ାଇଲେ ସାହାଯ୍ୟର ହାତ

ଭୁବନ: ସରିଯାଇଥିଲା ନିର୍ବନ୍ଧ । ବିବାହକୁ ବାକି ଥିଲା ମାତ୍ର ୮ ଦିନ । ମାତ୍ର ଅଗ୍ନିକାଣ୍ଡ ସବୁକିଛି ଛାରଖାର କରିଦେବା ସହ ଧୂଳିସାତ ହୋଇଗଲା ସ୍ୱପ୍ନ । ଗରିବ ଝିଅର ବାହାଘର କେମିତି ହେବ ଭାବି ବାପା ମୁଣ୍ଡରେ ହାତ ଦେଇଥିବା ବେଳେ ବଢ଼ିଲା ସହଯୋଗର ହାତ ।

କିଏ ଆମ୍ବପତ୍ର ଟାଙ୍ଗୁଛି, ପୁଣି କିଏ ବେଦୀରେ ଝୋଟି ଆଙ୍କୁଛି, ଏପଟେ ବରଯାତ୍ରୀଙ୍କ ପାଇଁ ରନ୍ଧା ଚାଲିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ବାଉଁଶକୋଣ ଗାଁର ବିଶ୍ୱନାଥ ପ୍ରଧାନ ଦୁଃଖରେ ଭାଙ୍ଗିପଡ଼ିଥିଲେ । ନିର୍ବନ୍ଧ ସରିଯାଇଥିବାବେଳେ ବାହାଘରକୁ ଦିନ କେଇଟା ବାକି । ଝିଅ ଭାରତୀର ବାହାଘର ହୋଇପାରିବ ତ ? ନା ଅବିଆଡ଼ି ରହିଯିବ ଝିଅ । କଣ କହିବେ ବାର ଲୋକ । କାରଣ ନିଆଁରେ ପୋଡ଼ିଯାଇଛି ଘର, ପାଉଁଶ ହେଇଯାଇଛି ସାଇତା ସମ୍ପତ୍ତି । ଏତେ ଅସହାୟ ସମୟରେ ସହଯୋଗର ହାତ ବଢାଇଲେ ଖୋର୍ଦ୍ଧାର ଲକ୍ଷେଶ୍ୱର ବଡ଼ସିଂହାର ବେଶ ସେବା ସମିତି ଓ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ । ସୁରଖୁରରେ ସମ୍ପନ୍ନ ହେଲା ବିବାହ ।

ବିନା ବାଜାବାଣ ରୋଶଣୀରେ ବାହାଘର ଶେଷ ହୋଇଛି । ନିର୍ଦ୍ଧାରିତ ତାରିଖରେ ଜୀବନସାଥୀ ଭାବେ ଭାରତୀଙ୍କ ହାତ ଧରିଛନ୍ତି କେନ୍ଦୁପଶି ଗାଁର ଅକ୍ଷୟ ପ୍ରଧାନ । ଉତ୍ସବରେ ସାମିଲ ହୋଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ, ଭୁବନ ବ୍ଳକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଏବଂ ଅନେକ ବଡ଼ ବଡ଼ଲୋକ । ଅଜାଡ଼ିଦେଇଛନ୍ତି ଆଶୀର୍ବାଦ ଓ ଶୁଭକାମନା । ଗାଁରେ ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତାର ପ୍ରତିଶୃତି ମଧ୍ୟ ମିଳିଛି ।

ବେଳକୁ ବେଳ ସ୍ୱାର୍ଥବାଦୀ ପାଲଟି ଯାଉଥିବା ସମାଜରେ ଏ ନିସ୍ୱାର୍ଥପର ସହଯୋଗ ଆଜି  ପାଲଟିଛି ମାନବିକତାର ଅନନ୍ୟ ନିଦର୍ଶନ ।

 

Leave a Reply