ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୬-୨୭ ଆର୍ଥିକବର୍ଷ ବଜେଟ
ନନ୍ଦିଘୋଷ ବ୍ୟୁରୋ: ଆଜି ଆସିବ ୨୦୨୬-୨୭ ଆର୍ଥିକବର୍ଷ ବଜେଟ l ୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଛୁଇଁବ ବ୍ୟୟ ବରାଦ l ଅପରାହ୍ନ ୪ଟାରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ l
ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ ଲକ୍ଷ ୨୦ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ବଜେଟରେ ମୁଖ୍ୟମନ୍ତ୍ରୀ ବିକଶିତ ଓଡିଶା ଗଠନ ଲକ୍ଷ୍ୟ ହାସଲ କରିବାକୁ ନୂଆ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ କିଛି ନୂଆ ଯୋଜନା ଆଣିପାରନ୍ତି ସରକାର । ଇନପୁଟ ସବସିଡି ଓ ସୁଭଦ୍ରା ଯୋଜନା ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି ।
ସେହିଭଳି ଗ୍ରାମୀଣ ବିକାଶ ଓ ରୋଜଗାର ପାଇଁ ଅଧିକ ଅନୁଦାନ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । କ୍ୟାପିଟାଲ ରିଜନ ରିଂ ରୋଡ, ଅର୍ଥନୈତିକ କରିଡର ଭଳି ନୂଆ ଯୋଜନା ପାଇଁ ମଧ୍ୟ ବଜେଟରେ ବଡ ବ୍ୟୟବରାଦ ହେବ । ଏଥିସହିତ ଭିତ୍ତିଭୂମି, ଶିଳ୍ପ ଓ ପରିବହନ କ୍ଷେତ୍ରରେ ନିଆଯାଇପାରେ ବଡ଼ ନିଷ୍ପତ୍ତି ।
ବଜେଟ ବୃଦ୍ଧିକୁ କଟାକ୍ଷ କରିଛନ୍ତି ବିରୋଧୀ । ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ, ବଜେଟ୍ ବୃଦ୍ଧି କରି ଲାଭ କ’ଣ ବୋଲି ପ୍ରଶ୍ନ କରିଛି ମୁଖ୍ୟ ବିରୋଧୀ ବିଜେଡି । ସେହିଭଳି କଂଗ୍ରେସ କହିଛି, ବଜେଟର ପ୍ରତିଫଳନ ରାଜ୍ୟ ବିକାଶରେ ଦେଖିବାକୁ ମିଳୁନି ।

