ଟି-ଟ୍ବେଣ୍ଟି ବିଶ୍ବକପ ସମୟରେ ବଢୁଛି ଅନଲାଇନ୍ ବେଟିଂ । ରାଉରକେଲାରେ ଉଡୁଛି ପୁଳା ପୁଳା ଟଙ୍କା । ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ । ବିଭିନ୍ନ ସ୍ଥାନରେ ସ୍ପେଶାଲ ଟିମର ମାରାଥନ ଚଢ଼ଉ । ୬ ଗିରଫ, ୩୦ଲକ୍ଷରୁ ଅଧିକ ଟଙ୍କା ଜବତ । ଟି-ଟ୍ବେଣ୍ଟି ବିଶ୍ବକପ ଚାଲିଥିବାବେଳେ ରାଉରକେଲାରେ ସକ୍ରିୟ ହୋଇଛନ୍ତି ଦଲାଲ । ଅନଲାଇନ ବେଟିଂ ହେଲେ ପୁଳାପୁଳା ଟଙ୍କା ଉଡୁଥିବା ଖବର ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ସ୍ପେଶାଲ ଟିମ୍ । ରାକେଟରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩୦ ଲକ୍ଷରୁ ଅଧିକ ଟଙ୍କା ସହ ୮ ଟି ସ୍ମାର୍ଟ ଫୋନ ଓ ଦୁଇଟି ଲ୍ଯାପଟପ ଜବତ କରାଯାଇଛି । କ୍ରିକେଟ ବେଟିଂକୁ ନେଇ କୋଟି କୋଟି ଟଙ୍କାର କାରବାର ହେଉଥିବା ସୂଚନା ଦେଇଛନ୍ତି ଡିଆଇଜି ।
ଗିରଫ ଅଭିଯୁକ୍ତମାନେ ରାଜ୍ୟ ଓ ରାଜ୍ୟ ବାହାରେ ସାଇବର କ୍ରାଇମ ସହ ଅନ ଲାଇନ କ୍ରିକେଟ ବେଟିଙ୍ଗରେ ସମ୍ପୃକ୍ତ ଥିଲେ । ବିଶ୍ଵକପ ସମୟରେ କେଉଁ ଟିମ ବିଜୟୀ ହେବ କେଉଁ ଟିମ ପରାସ୍ତ ହେବ, କେଉଁ ଖେଳାଳି କେତେ ରନ କରିବେ, ଗୋଟିଏ ଓଭରରେ କେତେ ରନ ହେବ, କେତେ ଓ୍ଵିକେଟ ଯିବ, ଅନ ଲାଇନ ଜରିଆରେ ବାଜି ଲଗାଉଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ୨୭ ବର୍ଷୀୟ ରୋହିତ ଭଗତ, ୩୧ ବର୍ଷୀୟ ପଙ୍କଜ କୁମାର ଭଗତ, ୩୦ ବର୍ଷୀୟ ସୋନୁ ରାଓ, ୪୮ ବର୍ଷୀୟ ମୁକେଶ ସାହୁ, ୪୨ ବର୍ଷୀୟ ଜିତେନ୍ଦ୍ର ଅଗ୍ରୱାଲ ଓ ୫୬ ବର୍ଷୀୟ ସୁରେଶ ଖେମକା । ଏହି ରାକେଟରେ ଆହୁରି ଅନେକ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । କ୍ରିକେଟ ବେଟିଙ୍ଗରେ ସମ୍ପୃକ୍ତ ଥିବା ୬ ଜଣ ଗିରଫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।

