ଆଜି ମଧ୍ୟ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ସଦସ୍ୟମାନେ ଗୃହରେ ନାରାବାଜି କରିବା ସହିତ ପ୍ଲାକାର୍ଡ କରି ସ୍ଲୋଗାନ ଦେଇଥିଲେ । ମଣ୍ଡି ବିଭ୍ରାଟକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଥିଲା । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ଅନୁରୋଧ କରିଥିଲେ ଓ ନିଜ ନିଜ ଆସନକୁ ଫେରିଯିବାକୁ ଗୃହର ସଦସ୍ୟମାନଙ୍କୁ କହିଥିଲେ । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସର ବିଧାୟକମାନେ ହଟ୍ଟଗୋଳ କରିଥିଲେ । ତେଣୁ ପରିସ୍ଥିତିକୁ ଦୃଷ୍ଟିର ରଖି ବାଚସ୍ପତି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।
ତେବେ ସରକାର ଚାଷୀ ମାରଣନୀତି ଅବଲମ୍ବନ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ଧାନ କିଣା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଅବ୍ୟବସ୍ଥିତ କରିଛନ୍ତି । ୮ରୁ ୧୨ କିଲୋ ପର୍ଯ୍ୟନ୍ତ କଟନି ଛଟନି ହେଉଛି । ଡବଲ ଇଞ୍ଜିନ ସରକାରରେ ଡବଲ କଟନି ଛଟନି ହେଉଛି । ଧାନର ଅଭାବୀ ବିକ୍ରି ହେଉଛି । ସରକାର ଧାନ କିଣିପାରୁ ନଥିବାରୁ ଚାଷୀମାନେ ୧୬୦୦/୧୭୦୦ ଟଙ୍କାରେ ଧାନ ବିକୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଅନ୍ୟପକ୍ଷରେ ସରକାର ପରିବର୍ତ୍ତନ ପରେ ଚାଷୀମାନେ ଲାଭବାନ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ସରକାର ମଧ୍ୟ ଚାଷୀଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟରେ ଯେଉଁ ଚାଷୀମାନେ ଚାଷ ଛାଡ଼ିଦେଉଥିଲେ, ସେମାନେ ଏବେ ଚାଷ କଲେଣି ବୋଲି ବିଜେପି ବିଧାୟକ ପ୍ରକାଶ ସେଠୀ କହିଛନ୍ତି ।

