spot_img

Latest Posts

ସୁପ୍ରିମକୋର୍ଟରେ ଘୁଞ୍ଚିଲା ‘ସିଇସି’ଙ୍କ ଶୁଣାଣୀ !

ନନ୍ଦିଘୋଷ ବ୍ୟୁରୋ: ବଢିଲା ସିଇସିଙ୍କ ଅଡୁଆ । ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଶୁଣାଣୀ ।  ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ବିରୋଧ ମାର୍ଚ୍ଚ ସହ ଜଡିତ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ୧୫ ଅକ୍ଟୋବର  ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ସିଇସିଙ୍କ ଇସ୍ତଫା ଦାବି କରି ଅନେକ ସହରରେ ପ୍ରତିବାଦ କରାଯାଉଛି । ଏହି ମାମଲାରେ ପ୍ରତିବାଦକାରୀଙ୍କୁ ଅଟକ ରଖିବା, ଇଣ୍ଟରନେଟ୍ ବନ୍ଦ କରିବା ଏବଂ ମେଟ୍ରୋ ତଥା ରେଳ ସେବା ବାଧାପ୍ରାପ୍ତ ହେବା ଭଳି ମାମଲା ମଧ୍ୟ ସାମିଲ ରହିଛି । ଖଣ୍ଡପୀଠର ସଦସ୍ୟ ଜଷ୍ଟିସ ଭି.ମୋହନାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ଯାହାଫଳରେ ଶୁଣାଣୀକୁ ସ୍ଥଗିତ ରଖିବାକୁ  ପଡିଥିଲା ।

ଏହା ବ୍ୟତୀତ, କେନ୍ଦ୍ର ସରକାର ଏହି ମାମଲାରେ ଏପର୍ଯ୍ୟନ୍ତ ତାଙ୍କର ଜବାବ ଦାଖଲ କରିନାହାଁନ୍ତି । ତେଣୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅକ୍ଟୋବର ୧୫ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ହିଁ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।

ସେପଟେ ସୁପ୍ରିମକୋର୍ଟରେ  ଏହି ମାମଲାର ଏକ ସ୍ବତନ୍ତ୍ର ଶୁଣାଣି ଚାଲିଛି  । ଆବେଦନରେ ଅଭିଯୋଗ କରାଯାଇଛି ଯେ, ପ୍ରତିବାଦକାରୀଙ୍କୁ ରୋକିବା ପାଇଁ ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ଏବଂ ଟ୍ରେନ୍ ସେବାକୁ ବ୍ୟାପକ ଭାବରେ ବନ୍ଦ କରିବା କୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛି । ଯାହାର ଶୁଣାଣୀ କରୁଛନ୍ତି ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି.ମୋହନାଙ୍କ ଖଣ୍ଡପୀଠ । ତେବେ ପୂର୍ବରୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସହ ଜଡିତ ପ୍ରସଙ୍ଗ ଉଠାଇଥିବା ଆବେଦନକାରୀଙ୍କୁ ଆଶ୍ବାସନା ଦେଇଥିଲେ ଯେ ସେମାନଙ୍କର ସମସ୍ତ ଆବେଦନ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ । ଏନେଇ ଭାରତର ମୁଖ୍ୟ ବିଚାରପତି ସୁର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି.ମୋହନାଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଅନେକ ଆବେଦନ ଦାଖଲ କରାଯାଇଥିଲା, ଯେଉଁଥିରେ ସେଗୁଡିକୁ ଜରୁରୀ ଶୁଣାଣୀ ପାଇଁ ତାଲିକାଭୁକ୍ତ  କରିବାକୁ ଅନୁରୋଧ କରାଯାଇଥିଲା ।

କହିରଖୁଛୁ ଯେ, ସୁପ୍ରିମକୋର୍ଟ ଅକ୍ଟୋବର ୧୧ ତାରିଖରେ କହିଥିଲେ ଯେ ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ରିତ ହେଉଥିବା ଲୋକଙ୍କୁ ବେଆଇନ୍ ଭାବରେ ଅଟକ ରଖିବା ଉଚିତ ନୁହେଁ । ଏହାସହ ଆଇନ ଶୃଙ୍ଖଳା ବଜାୟ ରଖିବାର ଆବଶ୍ୟକତାକୁ ଧ୍ୟାନରେ ରଖି ଦିଲ୍ଲୀ ମେଟ୍ରୋ ସ୍ବାଭାବିକ ଭାବରେ ଚାଲିବା ଏବଂ ଇଣ୍ଟରନେଟ୍ ସେବାରେ କୌଣସି ବାଧା ସୃଷ୍ଟି ନହେବା ନିଶ୍ଚିତ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ କହିଥିଲେ ।

Latest Posts

Don't Miss