spot_img

Latest Posts

ବାଟ ହୁଡ଼ିଛି ବିକାଶ ; ବିକାଶଠୁ ବହୁ ଦୂରରେ ୫ ଶହରୁ ଉର୍ଦ୍ଧ୍ଵ ଲୋକେ

ନନ୍ଦିଘୋଷ ବ୍ୟୁରୋ : ବିକାଶଠୁ ବହୁଦୂରରେ କାଙ୍କଣ ଉତ୍ତରପଡ଼ା ଗ୍ରାମବାସୀ । ମୌଳିକ ସୁବିଧା ସୁଯୋଗ ପାଇଁ କରୁଛନ୍ତି ଅହରହ ସଂଗ୍ରାମ । ଦେଶ ସ୍ଵାଧୀନତାକୁ ୭୮ ବର୍ଷ ବିତିଥିଲେ ସୁଦ୍ଧା ଏଯାଏଁ ଏରସମା ବ୍ଲକର କାଙ୍କଣ ଉତ୍ତରପଡା ଗାଁରେ ପହଞ୍ଚିନି ବିକାଶ । ନା ଗାଁକୁ ଅଛି ପକ୍କା ରାସ୍ତା ନା ଲୋକଙ୍କୁ ମିଳୁଛି ପାନୀୟ ଜଳ ସୁବିଧା । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ ଫଳ ଶୂନ ।

ବାଟ ହୁଡ଼ିଛି ବିକାଶ । ଏଠି ପଡ଼ିନି ବିକାଶର ପାଦ । ବିକାଶଠୁ ବହୁ ଦୂରରେ ୫ ଶହରୁ ଉର୍ଦ୍ଧ୍ଵ ଲୋକେ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଆମ୍ବିକି ପଞ୍ଚାୟତର କାଙ୍କଣ ଉତ୍ତରପଡ଼ା ଗାଁରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା ସୁଯୋଗ । ଗାଁକୁ ନା ଅଛି ପକ୍କା ରାସ୍ତା ନା ଲୋକଙ୍କୁ ମିଳୁଛି ପାନୀୟ ଜଳ ସୁବିଧା । କାଙ୍କଣ ଉତ୍ତରପଡ଼ା ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ବର୍ଷା ଦିନେ ଲୋକମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରେନାହିଁ । ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାକୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

କାଙ୍କଣ ଉତ୍ତରପଡ଼ା ଗାଁରେ ପାଣି ପାଇଁ ପାଇପଲାଇନ ପଡ଼ିଛି । କିନ୍ତୁ ଏଯାଏଁ ପାଣି ଆସୁନାହିଁ । ଗାଁରେ ଯେଉଁ ଏକମାତ୍ର ନଳକୂପ ବସିଛି ସେଥିରୁ ଲୁଣିଆ ପାଣି ବାହାରୁଛି । ଯାହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ ଗ୍ରାମବାସୀ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ଗ୍ରାମବାସୀ ସମସ୍ୟା ସଂପର୍କରେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି ହେଲେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

 

Latest Posts

Don't Miss