spot_img

Latest Posts

ଚରମ ସୀମାରେ ଚାଷୀଙ୍କୁ ଶୋଷଣ ; ବେଧଡ଼କ ଚାଲିଛି କଟନୀ ଛଟନୀ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଷୀଙ୍କୁ ଶୋଷଣ ଚରମ ସୀମାରେ ପହଞ୍ଚିଛି । ଖୁଲମଖୁଲା ମଣ୍ଡି ଓ ମିଲରେ ଚାଷୀଙ୍କୁ ଶୋଷଣ କରାଯାଉଛି । କୁଇଣ୍ଟାଲ ପିଛା ୫ କେଜି ଧାନ କାଟିଦେଉଛନ୍ତି ଖୋଦ ପ୍ୟାକ୍ସ ସଂପାଦକ । କେହି ପ୍ରତିବାଦ କଲେ ଟାର୍ଗେଟ ନାହିଁ ବୋଲି କହି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ସମସ୍ୟା ବୁଝିବାକୁ ଜିଲ୍ଲା ପ୍ରଶାସନ କମିଟି ଗଠନ କରିଥିଲେ ସୁଦ୍ଧା ଗ୍ରାଉଣ୍ଡରେ ପହଞ୍ଚିନାହାନ୍ତି କୌଣସି ଅଧିକାରୀ ।

ଚରମ ସୀମାରେ ଚାଷୀ ଶୋଷଣ । ମଣ୍ଡିରୁ ଉଠୁନି ଧାନ । ବେଧଡ଼କ ଚାଲିଛି କଟନୀ ଛଟନୀ । ବେଫିକର ମିଲର ଓ ସମବାୟ ସମ୍ପାଦକ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ବିଭିନ୍ନ ମଣ୍ଡି ଓ ମିଲରେ ଖୁଲମଖୁଲା ଚାଷୀଙ୍କୁ ଶୋଷଣ କରାଯାଉଛି । ପ୍ୟାକ୍ସ ସଂପାଦକ ଚାଷୀଙ୍କୁ ଜୁଲମ କରି କୁଇଣ୍ଟାଲ ପିଛା ୫ କେଜି ଧାନ କାଟି ଦେଉଛନ୍ତି । କେହି ଅଭିଯୋଗ କଲେ ଟାର୍ଗେଟ ନାହିଁ ବୋଲି କହି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକର ୧୩ଟି ସେବା ସମବାୟ ସମିତିରେ ଚଳିତ ଥର ଖରିଫ ଧାନ ବିକ୍ରି କରିବା ପାଇଁ ୭ ହଜାର ୧୬୮ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସମସ୍ତ ମଣ୍ଡିକୁ ପ୍ରଥମ ପର୍ଯ୍ୟାୟରେ ୮୦ ହଜାର ୧୯୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି । ମାତ୍ର ଅଧିକାଂଶ ମଣ୍ଡି ନାଁକୁ ମାତ୍ର ଖୋଲିଥିବା ବେଳେ ମିଲର୍ସ ମାନେ ମଣ୍ଡିରୁ ଧାନ ଉଠାଉନାହାନ୍ତି । ଚାଷୀ ସିଧାସଳଖ ନିଜ ଖର୍ଚ୍ଚରେ ଧାନ ମିଲକୁ ନେଇ ମିଲର୍ସଙ୍କ ମନମାନିର ଶିକାର ହେଉଛନ୍ତି ।

ରାଜନଗର ବ୍ଲକର ରାଜନଗର, ନୋଧାବସନ୍ତ, ନାଉକଣା, ଡାଙ୍ଗମାଳ, କୋଇଲିପୁର, ବାଲିସାହିପାଟଣା, ତାଳଚୁଆ ଭାଟପଡା, ଚାନ୍ଦିବାଉଁଶମୂଳ ପ୍ରଭୁତି ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଛି । ମିଲର ଓ ମଣ୍ଡି ଜଞ୍ଜାଳ ଭିତରେ ଯୁଝି ହୋଇ ଅନେକ ଚାଷୀ ଶାଗମାଛ ଦରରେ ବାହାର ରାଜ୍ୟକୁ ଧାନ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଟନୀ ଛଟନୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ସରକାର ସ୍ଵଚ୍ଛତାର ସହ ମଣ୍ଡିରେ ଧାନ କିଣା ହେବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ତାହା ଗ୍ରାଉଣ୍ଡରେ ସ୍ଥିତି ସଂପୂର୍ଣ୍ଣ ଓଲଟା । କେବେ ଚାଷୀଙ୍କ ଠାରୁ ସୁରୁଖୁରୁରେ ଧାନ କିଣା ଯାଉଛି ତାକୁ ହିଁ ଅପେକ୍ଷା ।

Latest Posts

Don't Miss