ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କି ପ୍ରତିବଦ୍ଧତା ନାହିଁ । ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି । ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏପରି କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ । ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା ଯେ, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ସେ ପଚାରିଛନ୍ତି, ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା ? ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ ? ମହାନଦୀ ଆମ ମାଆ । ଓଡ଼ିଶାର ଜୀବନରେଖା । ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ । ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

