ଭୁବନେଶ୍ବର : ରାଜ୍ୟ ସମବାୟ ନୀତି ୨୦୨୬କୁ କ୍ୟାବିନେଟର ଅନୁମୋଦନ। ନୂଆ ନୀତିରେ ସମବାୟ ଭିତ୍ତିଭୂମି ଓ ଟେକ୍ନୋଲୋଜିର ପ୍ରୟୋଗକୁ ମିଳିଛି ଗୁରୁତ୍ବ। ଢେଙ୍କାନାଳର ଗଜମରାରେ ହେବ ଇଣ୍ଟିଗ୍ରେଟେଡ଼ ନ୍ୟୁ-ଏଜ୍ ମ୍ୟାନୁଫାକଚରିଂ କମ୍ପ୍ଲେକ୍ସ। କଲ୍ୟାଣୀ ଗୃପ ଏଥିରେ ୧୭ ହଜାର ୨୫୦କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ଦ୍ଵାରା ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଞ୍ଚାମାଲରୁ ଷ୍ଟିଲ, ଷ୍ଟିଲରୁ ବିଭିନ୍ନ ପ୍ରଡ଼କ୍ଟ ବାହାରିବ। ଟିଟାନିୟମ, ସ୍ପେସାଲ ଷ୍ଟିଲ, ଅଟୋ କମ୍ପୋନେଣ୍ଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀଏଠାରେ ତିଆରି ହେବ। ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀକୁ ମିଳିବ ପ୍ରୋତ୍ସାହନ। ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ସହ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ସଂପର୍କିତ ପ୍ରସ୍ତାବ ବି କ୍ୟାବିନେଟରେ ପାରିତ ହୋଇଛି। ଓପିଏସସି ଢାଞ୍ଚାରେ ଏହି ଆୟୋଗରେ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ହେବେ ।
ଦୁବାଇ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ପରେ ଏହାର ଅବଧି ବୃଦ୍ଧି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ଫେବୃଆରୀ ୧୩ ଯାଏଁ ସରକାରଙ୍କ ସହଯୋଗରେ ଦୁବାଇ ଓ ସିଙ୍ଗାପୁରକୁ ବିମାନ ଚାଲିବାର ଥିଲା। ସ୍ବାସ୍ଥ୍ୟ ବିଭାଗର ନର୍ସିଂ କ୍ୟାଡ଼ର ଭଳି ଶ୍ରମ ବିଭାଗ ଅଧୀନରେ ଥିବା ଇଏସଆଇ ହସ୍ପିଟାଲରେ ନର୍ସମାନଙ୍କ ପାଇଁ ସ୍ବତନ୍ତ୍ର କ୍ୟାଡ଼ରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହା ସହ ବିଜ୍ଞାନ ଓ କାରିଗରୀ ବିଭାଗର ନୂଆ ଯୋଜନା ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’କୁ କ୍ୟାବିନେଟ ଅନୁମୋଦନ ମିଳିଛି। ୨୦୨୫-୨୬ରୁ ୨୦୨୯-୩୦ ଯାଏଁ ଏହି ଯୋଜନା ପାଇଁ ୨୫୪ କୋଟି ୮୫ ଲକ୍ଷର ବ୍ୟବସ୍ଥା ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନରେ ଉଚ୍ଚଶିକ୍ଷା ଏବଂ ଗବେଷଣା କରିବାକୁ ଉତ୍ସାହିତ କରିବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶିଳ୍ପ ବିଭାଗ, ଜଳ ସମ୍ପଦ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ବିଜ୍ଞାନ ଓ କାରିଗରୀ, ଆଇନ, ସମବାୟ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ, ସଂସଦୀୟ ବ୍ୟାପାର ବିଭାଗରୁ ଗୋଟିଏ ଲେଖାଏଁ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୨ଟି ଏହିପରି ମୋଟ ୧୨ ଟି ପ୍ରସ୍ତାବ କ୍ୟାବିନେଟରୋ ପାରିତ ହୋଇଛି।

