ନନ୍ଦିଘୋଷ ବ୍ୟୁରୋ: ବଜେଟରେ କଣ ହେବ ପ୍ରତିରକ୍ଷା ବଜେଟର ରୂପରେଖ ? ଅନ୍ୟ କ୍ଷେତ୍ର ପରି ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ କି ଗୁରୁତ୍ବ ? ତାହାକୁ ନେଇ ଜାରି ରହିଛି କଳ୍ନନାଜଳ୍ପନା । ଅପରେସନ ସିନ୍ଦୂର ପରେ ଦେଶରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ସରକାର ନେଇପାରନ୍ତି ପଦକ୍ଷେପ । ଭାରତ-ପାକିସ୍ତାନ ସାମରିକ ତିକ୍ତତା ପରିପ୍ରେକ୍ଷୀରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇପାରନ୍ତି କେନ୍ଦ୍ର ସରକାର । ଅପରେସନ ସିନ୍ଦୂର ବେଳେ ଭାରତ ଓ ପାକିସ୍ତାନ ଯେପରି ପରସ୍ପର ବିରୋଧରେ ଡ୍ରୋନ ଓ ୟୁଏଭି ବ୍ୟବହାର କଲେ ତାହାକୁ ଦୃଷ୍ଟିରେ ରଖି ଭାରତ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଚିନ୍ତା କରୁଥିବା ଜଣାଯାଇଛି ।
ଚଳିତ ବର୍ଷର ବଜେଟରେ ପ୍ରତିରକ୍ଷା ବ୍ୟୟଭାର 20 ପ୍ରତିଶତ ବୃଦ୍ଧି ଲାଗି ଚାହିଁଛି ପ୍ରତିରକ୍ଷା ମନ୍ତ୍ରାଳୟ । ଦେଖିବାକୁ ଗଲେ ପ୍ରତିବର୍ଷ ପ୍ରତିରକ୍ଷା ବଜେଟ ପରିମାଣ ବଢିବାରେ ଲାଗିଛି । ଗତ 2014ରେ ପ୍ରତିରକ୍ଷା ବ୍ୟୟହାର 12.43 ପ୍ରତିଶତ ବୃଦ୍ଧି ପାଇଥିଲା । ତାପରଠାରୁ ପ୍ରତିରକ୍ଷା ଲାଗି ସରକାର ବ୍ୟୟବରାଦ ପରିମାଣ ବଢାଇବାରେ ଲାଗିଛନ୍ତି । 2014ରେ ପ୍ରତିରକ୍ଷା ଲାଗି 2.29 ଲକ୍ଷ କୋଟି, 2015-16ରେ 2.46 ଲକ୍ଷ କୋଟି, 2016-17ରେ 2. 49 ଲକ୍ଷ କୋଟି, 2017-18ରେ 2.74 ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥିଲା । ସେହିପରି 2018-19ରେ 2.95 ଲକ୍ଷ କୋଟି, 2019-20ରେ 3.18 ଲକ୍ଷ କୋଟି, 2020-21ରେ 3.37 lଲକ୍ଷ କୋଟି, 2021-22ରେ 4.78 ଲକ୍ଷ କୋଟି, 2022-23ରେ 5.25 ଲକ୍ଷ କୋଟି, 2023-24ରେ 5.94 ଲକ୍ଷ କୋଟି 2024-25ରେ 6.21 ଲକ୍ଷ କୋଟି ଓ 2025-26ରେ 6.81 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଚଳିତ ବର୍ଷ ଏହି ପରିମାଣ 7 ଲକ୍ଷ କୋଟି ଟପିବା ଆଶା କରାଯାଉଛି ।

