spot_img

Latest Posts

ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ପଦବୀ, ପୂରଣ କରିବାରେ ବିଫଳ ସରକାର

ଭୁବନେଶ୍ବର : ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ପଦବୀ। ଖାଲି ପଡ଼ିଥିବା ପଦବୀ ପୂରଣ କରିବାରେ ସରକାର ବିଫଳ ହୋଇଥିବା ବେଳେ, ଏବେ ଅବସରପ୍ରାପ୍ତଙ୍କ ଉପରେ ଭରସା। ଏକାବେଳେ ୮ଶହ ପୋଲିସ ଅଧିକାରୀ ପଦବୀରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରସ୍ତାବରେ ମୋହର ମାରିଛି ଗୃହ ବିଭାଗ। ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ବୋଲି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଚିଠି ଲେଖି ପୋଲିସ ଡିଜିଙ୍କୁ ଜଣାଇଛନ୍ତି। ହେଲେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆଇନ ଶୃଙ୍ଖଳା ସ୍ଥିତି ସମ୍ଭାଳିବା ଦାୟିତ୍ବରେ ଥିବା ପୋଲିସ ବାବୁଙ୍କୁ ଯଦି ରିଟାୟାର୍ଡ ପରେ ନିଯୁକ୍ତି ମିଳେ, ତାହାଲେ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ ନାହିଁ ବୋଲି କହିଛି କଂଗ୍ରେସ। ସମୀକ୍ଷକ କହିଛନ୍ତି, ପୋଲିସ ଏସଆଇ ନିଯୁକ୍ତି ସ୍କାମରୁ ବର୍ତ୍ତିବା ପାଇଁ ସରକାର ଏପରି କରିବାକୁ ବାଧ୍ୟ ହୋଇଛନ୍ତି।

ବିଧାନସଭାର ଉତ୍ତର ଅନୁସାରେ, ରାଜ୍ୟରେ ଥିବା ୭୦୬ଟି ଥାନାରେ ୩ହଜାର ପଦବୀ ଖାଲି ପଡ଼ିଛି। ନିଯୁକ୍ତି ପ୍ରକ୍ରିୟା ଦୁର୍ନୀତି ଘେରରେ ଛନ୍ଦି ହୋଇଥିବା ବେଳେ, ଏବେ ଅବସର ନେଇଥିବା ବାବୁଙ୍କ ଉପରେ ସରକାର ଭରସା କରିଛନ୍ତି। ସରକାରଙ୍କ ଚିଠି ଅନୁସାରେ, ଅବସର ପରେ ନିଯୁକ୍ତି ପାଇବାକୁ ଯାଉଥିବା ପୋଲିସ ଅଫିସର ୬୫ ବର୍ଷ ଟପିନଥିବେ। ଅବସର ନେବାର ୫ ବର୍ଷ ପୂର୍ବରୁ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନଥିବ। ସେହିପରି ୩୧ ମାର୍ଚ୍ଚ ୨୦୨୭ ଯାଏଁ ଏମାନଙ୍କ ନିଯୁକ୍ତି ଅବଧି ରହିବ। ଅବସରମାନଙ୍କୁ ନିଯୁକ୍ତି ନେଇ ସମାଲୋଚନା ହେଉଥିବା ବେଳେ, ଆଇନ ମନ୍ତ୍ରୀ କହିଛନ୍ତି, ପୁନଃ-ନିଯୁକ୍ତି ନୀତିରେ ପରିବର୍ତ୍ତନ କରିଛନ୍ତି ସରକାର। ପୋଲିସ ଏସଆଇ ନିଯୁକ୍ତି ସ୍କାମକୁ ନେଇ ସରକାର ବ୍ୟାକଫୁଟରେ ଥିବା ବେଳେ, ପୋଲିସ ବିଭାଗରେ ନୂଆ ନିଯୁକ୍ତିକୁ ନେଇ ବିଳମ୍ବ ହେବ। ଏପଟେ ଆଇନ ଶୃଙ୍ଖଳା ସ୍ଥିତି ସମ୍ଭାଳିବାକୁ ୮୦୦ ଏସ୍ଆଇ, ଏଏସଆଇ, ଇନସପେକ୍ଟର ପଦବୀରେ ଅବସରଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏପ୍ରିଲ ୨୦୨୫ରେ ଅବସରପ୍ରାପ୍ତ ଯବାନଙ୍କୁ ୨୮ଶହ ଏସ୍ଏସବି ପୋଷ୍ଟରେ ମିଳିଥିଲା ନିଯୁକ୍ତି।

Latest Posts

Don't Miss