ପୁରୀ : ଶୁଭବେଳାରେ ଶ୍ରୀମନ୍ଦିର ରତ୍ନ ଅଳଙ୍କାରର ହେବ ଗଣତି ମଣତି । ସଂଶୋଧିତ ମାର୍ଗଦର୍ଶିକାକୁ ପରିଚାଳନା କମିଟିର ମୋହର । ବିରୋଧ ଓ ସମାଲୋଚନା ପରେ କମିଲା ଭକ୍ତ ନିବାସ ପାର୍କିଂ ଫି’ । ବଡ଼ ଦେଉଳକୁ ମୋବାଇଲ ନେଲେ ହେବ କାର୍ଯ୍ଯାନୁଷ୍ଠାନ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ରାମ୍ପରେ ହେଲା ପରିବର୍ତ୍ତନ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ସହ ପୂର୍ବରୁ ହୋଇଥିବା ଚୁକ୍ତି ବାତିଲ କରାଯାଇଛି । ନୂତନ ସଂସ୍ଥା ସହ ଏମଓୟୁ ହେବ । ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ରତ୍ନଭଣ୍ଡାର ଗଣତି ମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ଅନୁମୋଦନ ଦେଇ କମିଟି । ଏଥିପାଇଁ ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ଚୂଡାନ୍ତ ଅନୁମୋଦନ ଆସିବା ପରେ ତିଥି, ଲଗ୍ନ, ବାର ଦେଖି ତାରିଖ ସ୍ଥିର କରାଯିବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ବାହାରକାଠରୁ ଦର୍ଶନ ବ୍ଯବସ୍ଥା କରାଯିବ ।
ବିଭିନ୍ନ ମହଲରୁ ବିରୋଧ ଓ ସମାଲୋଚନା ପରେ କମିଛି ୪ଟି ଭକ୍ତ ନିବାସର ପାର୍କିଂ ଫି । ୫ଶହ ଟଙ୍କା ପରିବର୍ତ୍ତେ ପାର୍କିଂ ପାଇଁ ୨୪୦ ଟଙ୍କା ଦେବେ ପର୍ଯ୍ଯଟକ । ୧୮ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ । ସେହିପରି ପ ଶୁଭ ବେଳା ଦେଖି ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ନୂତନ ରତ୍ନ ପଲଙ୍କ ବ୍ଯବହାର କରାଯିବ । ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯିବ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଖୋଲିବ ଶ୍ରୀଗୁଣ୍ଡିଚା । ଭକ୍ତଙ୍କ ପାଇଁ ପ୍ରବେଶ ଫି ୧୦ ଟଙ୍କା ରହିବ । ତେବେ ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଶୁଳ୍କ ରହିବ । ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟର ଦଶାବତାର ମୂର୍ତ୍ତି ଲାଗିବା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ । ଖୋଲାଖୋଲି ମୋବାଇଲ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ। ସୁରକ୍ଷାକର୍ମୀ କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି । ଖୁବଶୀଘ୍ର ନାଟମଣ୍ଡପରେ ହେବ ଶୀତତାପ ନିୟନ୍ତ୍ରଣ ବ୍ଯବସ୍ଥା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ରାମ୍ପରେ ପରିବର୍ତ୍ତନ କରାଯାଇଛି । ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥା କେବଳ ଶ୍ରୀମନ୍ଦିର ପ୍ରଶାସନ କରିବ। ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

