ବିରାଟ ରାମାୟଣ ମନ୍ଦିରରେ ସ୍ଥାପନ ହେଲା ୨ ଲକ୍ଷ କିଲୋ ଓଜନର ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ
ନନ୍ଦିଘୋଷ ବ୍ୟୁରୋ: ବିହାରର ମୋତିହାରୀର କଠୌଲିଆ ଗାଁର ବିରାଟ ରାମାୟଣ ମନ୍ଦିରରେ ସ୍ଥାପନ ହେଲା ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ଏହି ମନ୍ଦିର ୧୨୦ ଏକର ପରିସରରେ ନିର୍ମାଣ କରାଯାଇଛି । କୁହାଯାଉଛି, ଏହା ଦୁନିଆର ସବୁଠାରୁ ବିରାଟ ରାମାୟଣ ମନ୍ଦିର । ଆଉ ଏଥିରେ ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ ସ୍ଥାପନ କରାଯାଇଛି । ଏହି ଶିବଲିଙ୍ଗ ତାମିଲନାଡୁର ମହାବଳିପୁରମରୁ ୨୫୦୦ କିମି ଦୂର ଯାତ୍ରା କରି ବିରାଟ ରାମାୟଣ ମନ୍ଦିରରେ ପହଞ୍ଚିଥିଲା । ଏଥିପାଇଁ ଏହାକୁ ୪୦ ଦିନ ସମୟ ଲାଗିଥିଲା । ଏହାକୁ ନିର୍ମାଣ କରିବାକୁ ୧୦ ବର୍ଷ ସମୟ ଲାଗିଛି । ଏହାକୁ ଗ୍ରାନାଇଟ ପଥରରେ ନିର୍ମାଣ କରାଯାଇଛି । ଏଥିରେ ୧୦୦୮ଟି ଛୋଟ ଛୋଟ ଶିବଲିଙ୍ଗ ରହିଛି । ଆଉ ଏହାକୁ ନିର୍ମାଣ କରିବାକୁ ୧୦୦୮ କାରିଗର ନିୟୋଜିତ ହୋଇଥିଲେ ।
ଆଚାର୍ଯ୍ୟ କୁନାଲ କିଶୋରଙ୍କ ସ୍ବପ୍ନ ଥିଲା ବିରାଟ ରାମାୟଣ ମନ୍ଦିର
ପୂର୍ବ ଆଇପିଏଓ ଓ ମହାବୀର ନ୍ୟାସ ବୋର୍ଡର ପୂର୍ବ ସଚିବ ଆଚାର୍ଯ୍ୟ କୁନାଲ ଏହି ବିରାଟ ରାମାୟଣ ମନ୍ଦିରର ସ୍ବପ୍ନ ଦେଖିଥିଲେ । ଆଉ ଏହାର ମୂଳଦୁଆ ରଖିଥିଲେ । ପୁଅ ସୟାନ କୁନାଲ ଆଜି ତାଙ୍କ ସ୍ବପ୍ନ ପୂରଣ କରିବା ସହ ବିଧି ବିଧାନର ସହ ଶିବଲିଙ୍ଗ ସ୍ଥାପନ କରାଇଛନ୍ତି । ସେ କହିଛନ୍ତି, ମନ୍ଦିର ନିର୍ମାଣ ହେବା ପରେ ଏହି ସ୍ଥାନର ବିକାଶ ଘଟିବ । ଅଯୋଧ୍ୟା ପରେ ଏହା ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ହେବାକୁ ଯାଉଛି । ଏଠାରେ ହୋଟେଲ, ଏୟାରପୋର୍ଟ ଓ ହାଇଓ୍ବେ ନିର୍ମାଣ ହେବ । ଯାହାଦ୍ବାରା ଅଞ୍ଚଳର ବିକାଶ ଘଟିବ ।
କେତେ କଠିନ ଥିଲା ଶିବଲିଙ୍ଗ ସ୍ଥାପନ ?
ସ୍ଥାପନ ହୋଇଥିବା ଏହି ବିଶାଳ ଶିବଲିଙ୍ଗର ଓଜନ ୨୦୦ ମ୍ୟାଟ୍ରିକ ଟନ୍ ବା ୨ ଲକ୍ଷ କେଜି । ଏହାର ଲମ୍ବା ୩୩ ଫୁଟ । ଏହାକୁ ସ୍ଥାପନ କରିବାକୁ ବହୁତ କଷ୍ଟକର କାମ ଥିଲା । ଶିବଲିଙ୍ଗକୁ ୩୦ ଫୁଟ ଉଚ୍ଚା ଗମ୍ବୁଜ ଉପରେ ସ୍ଥାପନ କରାଯାଇଛି । ଏହାଦ୍ବାରା ଶିବଲିଙ୍ଗର ଉଚ୍ଚତା ୬୩ ଫୁଟ ହୋଇଯାଇଛି । ଏହାକୁ ସ୍ଥାପନ କରିବାକୁ ପ୍ରାୟ ଅଧଘଣ୍ଟା ସମୟ ଲାଗିଥିଲା । ଦୁଇଟି କ୍ରେନ ସହାୟତାରେ ଏହାକୁ ସ୍ଥାପନ କରାଯାଇଥିଲା । ଶିବଲିଙ୍ଗକୁ ପ୍ରଥମେ କ୍ରେନ ସହାୟତାରେ ଏୟାର ଲିଫ୍ଟ କରାଯାଇଥିଲା । ଉଚ୍ଚାକୁ ନିଆଯିବା ପରେ ଏହାକୁ ଉକ୍ତ ୩୦ ଫୁଟ ଗମ୍ବୁଜ ଉପରେ ସ୍ଥାପନ କରାଯାଇଥିଲା ।
ଶିବଲିଙ୍ଗ ଦେଖିବାକୁ ଲୋକଙ୍କ ଭିଡ଼
ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ ସ୍ଥାପନ ହେବା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଦୂର ଦୂରାନ୍ତରୁ ହଜାର ହଜାର ଲୋକ ଏହା ଦେଖିବାକୁ ରୁଣ୍ଡ ହୋଇଥିଲେ । ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ଦ୍ବାରା ଅଞ୍ଚଳରେ ସନାତନ ଧର୍ମର ପ୍ରସାର ପ୍ରଚାର ଦେଖିବାକୁ ମିଳୁଛୁ ।

