ଅବ୍ୟବସ୍ଥା ଘେରରେ ଶୌଚାଳୟ । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ଶୌଚାଳୟରେ ଝୁଲୁଛି ତାଲା । ରାୟଗଡା ସହରର ୨୫ଟି ସ୍ଥାନରେ ମୁକ୍ତା ଯୋଜନାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପବ୍ଲିକ ଟଏଲେଟ । ଯାହା ଏବେ ଲୋକଙ୍କ କାମରେ ଲାଗୁନି । ଭଲ ଭାବେ ଦେଖନ୍ତୁ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏହି ଶୌଚାଳୟର ଅବସ୍ଥା । କେଉଁଠି ସରଞ୍ଜାମ ଭାଙ୍ଗିଗଲାଣି ତ ଆଉ କେଉଁଠି ଆଜି ଯାଏଁ ପାଇପ୍ ସଂଯୋଗ ମଧ୍ୟ ହୋଇନି । ପରିଚାଳନାଗତ ତ୍ରୁଟି ଯୋଗୁଁ ହୋଇପାରୁନି କାର୍ଯ୍ୟକ୍ଷମ । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଅତି ନିମ୍ନମାନର ନିର୍ମାଣ କାମ କରାଯାଇ ବିଲ୍ ଉଠାଯାଇଥିବା ଅଭିଯୋଗ ହୋଇଛି ।
ଶୌଚାଳୟ ନିର୍ମାଣକୁ ତିନି ବର୍ଷ ପୂରିନି । ତଥାପି ପୁନର୍ବାର ଶୌଚାଳୟ ନିର୍ମାଣ ପାଇଁ ପୌର ପରିଷଦ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଏହାକୁ ସଜାଡିବା ପରିବର୍ତ୍ତେ ନୂଆ ନିର୍ମାଣ ଯୋଜନାକୁ ନାପସନ୍ଦ କରିଛନ୍ତି ଲୋକେ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଖୁବଶୀଘ୍ର ଶୌଚାଳୟ ଗୁଡିକ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ପୌର ପରିଷଦ ଅଧ୍ୟକ୍ଷ କହିଛନ୍ତି । ପୂର୍ବ ଦିନରେ ଶୌଚାଳୟ ପରିଚାଳନା ପାଇଁ ରାୟଗଡା ପୌର ପରିଷଦ ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଥିଲା । ତେବେ ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଜଳଜଳ ହୋଇ ବାରି ହୋଇପଡୁଛି।

