ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ା ଖାବଡ଼ା ମାଟି ଗୋଡ଼ି ରାସ୍ତା ଭରସା । ଅସରାଏ ବର୍ଷା ହେଲେ ଯାତାୟତ ମୁସ୍କିଲ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆମ୍ବାଜରୀ ଠାରୁ ତାମସିଂ ରାସ୍ତାର ଏ ହେଉଛି ବିକଳ ଚିତ୍ର । ୬୦ ରୁ ଅଧିକ ଆଦିବାସୀ ପରିବାରର ତାମସିଂ ଗାଁରେ ବସବାସ କରନ୍ତି । ଗାଁକୁ ପହଞ୍ଚିବାକୁ ହେଲେ ମୁଖ୍ୟ ରାସ୍ତା ଠାରୁ ୮ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି ଯିବାକୁ ପଡେ। ଏହି ରାସ୍ତା ଅତିକ୍ରମ କରି ଛାତ୍ରଛାତ୍ରୀ ପ୍ରତିଦିନ ସ୍କୁଲକୁ ଯାଉଥିବାବେଳେ କିଛି ପିଲା ପାଠରେ ଡୋରି ବାନ୍ଧିଛନ୍ତି । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରେନି ଆମ୍ବୁଲାନ୍ସ । ରୋଗୀ କିମ୍ବା ଗର୍ଭବତୀଙ୍କୁ ଭାରରେ ବୋହି ନେବାକୁ ପଡେ । ଅନ୍ୟପଟେ ସିମେଣ୍ଟ ରାସ୍ତା ନିର୍ମାଣ ପାଇଁ ପାଣ୍ଠି ଦେଇଥିଲେ ସ୍ଥାନୀୟ ବିଧାୟକ । ଅଞ୍ଚଳବାସୀଙ୍କ ଅନୁରୋଧରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ଗାଁରେ ନିର୍ମାଣ ହୋଇଥିବା କୋଠଘରର ଉନ୍ମୋଚନ କରିବାକୁ ଗାଁରେ ପହଞ୍ଚିଥିଲେ। ଗାଁରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ସ୍ଥାନୀୟ ବିଧାୟକ ।
ଗାଁରେ ପ୍ରାଥମିକ ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଗମନାଗମନର ସୁବିଧା ନେଇ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, ଓ୍ବାର୍ଡ ମେମ୍ବର । ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ଚେଷ୍ଟା କରିବେ ବୋଲି ବିଧାୟକ କହିଛନ୍ତି । ଅନ୍ୟପଟେ ରାସ୍ତା ନିର୍ମାଣ ଓ ଗାଁରେ ପୁଣି ସ୍କୁଲ ଖୋଲିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସହକାରୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ରାସ୍ତା ନଥିବାରୁ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଗ୍ରାମବାସୀ। ପ୍ରଶାସନ କେବେ ଏଥିପ୍ରତି ଶୁଭଦୃଷ୍ଟି ପକାଉଛି ତାକୁ ଅପେକ୍ଷା ।

