ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହୋଇଛି ମକରବେଢା ନୀତି । ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ଅଟେ ମକର ସଂକ୍ରାନ୍ତି । ଏହି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ,ତୁଳସୀରେ ମାଳଚୂଳ ସହ ଛଅମୁର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜି ଭୋରରୁ ସିଂହଦ୍ବାର ଫିଟା ହେବା ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇ ଅବକାଶ ନୀତି ପରେ ମକର ଚୌରାଶି ବେଶରେ ଦର୍ଶନ ଦେଉଛନ୍ତି କାଳିଆ ଠାକୁର। ତେବେ ଗତକାଲି ଠାରୁ ଆଲାମଚଣ୍ଡୀ ମନ୍ଦିର ରୁ ଆସିଥିବା ମକର ତାଡ଼ ରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମକର ବେଢା କରାଯିବା ସହ ମହାପ୍ରଭୁଙ୍କୁ ମଧ୍ୟାହ୍ନ ଧୂପରେ ସମର୍ପଣ କରାଯାଇଥିଲା । ସେପଟେ ଶ୍ରୀମନ୍ଦିରରେ ମକର ନୀତି ସହ ବିଭିନ୍ନ ମଠ ବାଡ଼ି ମାନଙ୍କରେ ମଧ୍ୟ ମକର ଚାଉଳ ପ୍ରସ୍ତୁତ ହୋଇଥିବା ପରିଲକ୍ଷିତ ହୋଇଛି । ଆଜିଠାରୁ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବା ସହ ଧିରେଧିରେ ଗରମ ଅନୁଭୁତ ହୋଇଥାଏ।
ଆଜିର ପବିତ୍ର ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ସାନିଧ୍ୟ ନେବା ସହ ଅମୃତ ତୁଲ୍ଯ ମକର ଚାଉଳ ପ୍ରସାଦ ପାଇଛନ୍ତି ଭକ୍ତ। ଓଡ଼ିଆଙ୍କ ଜ୍ୟେଷ୍ଠ,ଇଷ୍ଟ ଓ ଶ୍ରେଷ୍ଠ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଅନୁସରଣରେ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯାଇଛି। ପରମ୍ପରା ଅନୁସାରେ ମହାଲକ୍ଷ୍ମୀ ବାପଘରୁ ପ୍ରତ୍ୟାବର୍ତନ କରିଥିବାରୁ ଆଜିଠାରୁ ମହାପ୍ରଭୂ ମାଆ ଲକ୍ଷ୍ନୀଙ୍କ ହାତରନ୍ଧା ଖାଇବାର ବିଧି ରହିଛି । ଅନ୍ୟ ପକ୍ଷରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ନିଜେ ପୁରୀ ଏସ୍ପି ଶ୍ରୀମନ୍ଦିର ଚାରି ପାଖରେ ବୁଲି ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ତେବେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ନୀତି ଆଜି ମକର ସଂକ୍ରାନ୍ତି ଦିନ ଠାରୁ ବନ୍ଦ ହୋଇଅଛି।

