spot_img

Latest Posts

ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି, ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ବିବାଦ…

ଭୁବନେଶ୍ବର : ୧୯ ମାସର ବିଜେପି ସରକାରରେ ପଦାରେ ପଡ଼ିଲା ଇନପୁଟ ସବସିଡି ଚଞ୍ଚକତା । କିଛି ଦିନ ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଜଣେ ଚାଷୀଙ୍କ ଠାରୁ ମାତ୍ର ୧୫୦ କୁଇଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ। ଏବଂ ବାକି ଧାନକୁ ସେ ବାହାରେ ବିକିବ। ଯାହାକୁ ଦୁର୍ଭାଗ୍ୟଜନକ କହିଛି ବିଜେଡି। ଧାନ କିଣା ପାଇଁ ଏମଏସପି ୨୩୦୦ ଟଙ୍କାରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଥିବାରୁ, ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପରିବର୍ତ୍ତେ ୩୧୬୯ ଟଙ୍କା ପ୍ରଦାନ କରିବା କଥା। ହେଲେ ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି। ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି କହିଛି ବିଜେଡି। ନିର୍ବାଚନ ସମୟରେ ବିଜେପି ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ, ରାଜ୍ୟର ସମସ୍ତ ବଳକା ଧାନ କିଣାଯିବ। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସଂଗ୍ରହ ହେଉନାହିଁ ନିର୍ଦ୍ଧାରିତ ହୋଇଥିବା ଧାନ। ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏବେ ସୁଦ୍ଧା ମାତ୍ର ୩ ଲକ୍ଷ ୪୦ ହଜାର ୨୯୪ ଚାଷୀ ଧାନ ବିକ୍ରି ପାଇଁ ସକ୍ଷମ ହୋଇଛନ୍ତି। ଜାନୁଆରୀ ୧୦ ତାରିଖ ସୁଧା ରାଜ୍ୟର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ  ପୁରୀ, ବାଲେଶ୍ବର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଏଯାଏଁ ଖୋଲିନି ମଣ୍ଡି। ପାଣିର ଗାର ପାଲଟିଛି ସରକାରଙ୍କ ନିର୍ଦ୍ଦେଶ।  ତେଣୁ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ନହେଲେ, ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି।

ସରକାରଙ୍କ ଓକିଲାତି କରିବାକୁ ଯାଇ ଚିରାଚରିତ ଭାବେ ଉତ୍ତର ଦେଇଛି ବିଜେପି କୃଷକ ମୋର୍ଚ୍ଚା । ସରକାର ଦେଢ଼ ବର୍ଷ ହେବ ଆସିଛି। ଭିତ୍ତିଭୂମି ପାଇଁ ସମୟ ଦରକାର। ବିଜେପି କୃଷକ ମୋର୍ଚ୍ଚାର ଏପରି ଜବାବକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ୮୦୦ ଟଙ୍କା ବୋନସର ପ୍ରତିଶୃତି ଦେଇ ସରକାରକୁ ଆସିଲା ବିଜେପି। ହେଲେ ତାହା ବି ଠିକ ସେ ଦିଆଗଲାନି। ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନି। ଗାଁ ଗାଁରେ ଏ ନେଇ ଲୋକଙ୍କୁ ସଚେତନ କରିବ ବୋଲି କହିଛି କଂଗ୍ରେସ। ଓଡ଼ିଶା ପରି ଛତିଶଡ଼ରେ ମଧ୍ୟ ବିଜେପି ସରକାର । ଓଡ଼ିଶାର ଟାର୍ଗେଟ ୭୩ ଲକ୍ଷ ମେଟ୍ରିକ ଟନ ଥିବା ବେଳେ, ଏବେ ସୁଦ୍ଧା ମାତ୍ର ୧୭.୮୫ ଲକ୍ଷ ଟନ ଧାନ ସଂଗ୍ରହ ହୋଇ ପାରିଛି । ଅପରପକ୍ଷରେ, ଛତିଶଗଡ଼ରେ ୮୦ ଲକ୍ଷ ଟନ ଧାନ କିଣା ଟାର୍ଗେଟ ଥିଲା ବେଳେ, ଏଯାଏଁ ୯୭ ଲକ୍ଷ ଟନ ଧାନ କିଣା ଗଲାଣି। ଏହାକୁ ଯଦି ବିଚାର କରିବା, ତେବେ ପଡ଼ୋଶୀ ଛତିଶଗଡ଼ ତୁଳନାରେ ଓଡିଶାର ସ୍ଥିତି ସଙ୍ଗୀନ ରହିଛି।

Latest Posts

Don't Miss