ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜବାହାର ନବୋଦୟ ସ୍କୁଲ ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବିଶ୍ବନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ କାୟା ବିସ୍ତାର କରିଛି । ଗତକାଲି ଜଣେ ଜଣ୍ଡିସ ଆକ୍ରାନ୍ତ ଛାତ୍ରଙ୍କ ଖବର ପାଇବା ପରେ ଆଜି ସ୍କୁଲ ଯାଇ ଢେଙ୍କାନାଳ ସିଡିଏମଓ ଓ ଜନସ୍ବାସ୍ଥ୍ୟ ଟିମ ଆବଶ୍ୟକ ପରୀକ୍ଷା କରିଛନ୍ତି। ଏଯାଏଁ ତିନୋଟି ପିଲାଙ୍କୁ ଜଣ୍ଡିସ ହୋଇଥିବା ସ୍ପଷ୍ଟ ହୋଇଛି । ଯାହା ପାଖରେ ଲକ୍ଷଣ ଦେଖା ଦେବ, ତାଙ୍କ ରକ୍ତ ପରୀକ୍ଷା କରାଯିବ। ୧୯୭ ଛାତ୍ରଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ଦୁଇ ଦିନ ପରେ ଆସିବ ରିପୋର୍ଟ । ସ୍କୁଲରେ ହଷ୍ଟେଲ ନଥିବାରୁ, ମେସ୍ କରି ରହୁଥିଲେ ଛାତ୍ରଛାତ୍ରୀ । ସ୍କୁଲରୁ ପାଣି ଓ ମଧ୍ୟାହ୍ନ ଭୋଜନର ନମୁନା ବି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଯେଉଁଥି ପାଇଁ ଏ ଯାଏଁ ଜଣ୍ଡିସର ଉତ୍ସକୁ ଚିହ୍ନଟ କରାଯାଇ ପାରି ନାହିଁ । ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲର ଓ୍ବାସରୁମରେ ପଡ଼ି ରହିଛି ଅଳିଆ ଆବର୍ଜନା । ପୁଣି ପରିସ୍ରାଗାର ଭିତରେ ଗୁଟଖା ଜରି ଓ କଦଳୀ ଚୋପା ଜମାଟ ବାନ୍ଧିଛି । ଦୀର୍ଘ ଦିନ ହେବ ଶୌଚାଳୟର କବାଟ ଭାଙ୍ଗି ଯାଇଛି। ବିଦ୍ୟାଳୟର ପାଣିକୁ ଦୂଷିତ ଆଶଙ୍କା କରି ଆରଡବ୍ଲୁଏସଏସ ବିଶୁଦ୍ଧ ପାଣି ଯୋଗାଉଛି ।
ରାଜ୍ୟର ବିଭିନ୍ନ ସ୍କୁଲ ଧୀରେ ଧୀରେ ଜଣ୍ଡିସ ଦ୍ବାରା କବଳିତ ହେଉଛି । ବିପଦରେ ପଡ଼ୁଛି କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ। ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ହଜାଇ ଦେଇଛି । ସ୍କୁଲରେ ଜଣ୍ଡିସ ନିରାକରଣ ପାଇଁ ସବୁ ଜିଲ୍ଲାର ଡିଇଓଙ୍କୁ ସତର୍କ ରହିବାକୁ ପୁନଃ ନିର୍ଦ୍ଦେଶ ଦେବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆବଶ୍ୟକ ପଡ଼ିଲେ, ସ୍ବାସ୍ଥ୍ୟ ବିଭାଗର ସହଯୋଗ ନିଆଯିବ। ଜଣ୍ଡିସର କାରଣ ଜାଣିବା ପରେ ସ୍କୁଲ ଗୁଡ଼ିକରେ ଆକ୍ବାଗାର୍ଡ ଲଗାଯିବ। ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଗତ ବର୍ଷ ହଇଜା ମହାମାରୀର ରୂପ ନେଇ ଅନେକ ମୂଲ୍ୟବାନ ଜୀବନ ଯାଇଥିଲା । କଣାସରୁ ଏହା ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ଉଗ୍ର ରୂପ ଧାରଣ କରିଥିଲା । ଏବେ ଖୋର୍ଦ୍ଧାରୁ ଢେଙ୍କାନାଳ ଲମ୍ବିଲାଣି ଜଣ୍ଡିସ ରୋଗୀଙ୍କ ତାଲିକା । ସେଥିରେ ପୁଣି ସ୍କୁଲ ଆକ୍ରାନ୍ତ । ସରକାର ଠିକ୍ ସମୟରେ ଯତ୍ନବାନ ନ ହେଲେ, ସ୍କୁଲ ଗୁଡ଼ିକରେ ଜଣ୍ଡିସ ମହାମାରୀର ରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି ।

