ମାର୍ଚ୍ଚ ମାସରେ ନୂଆ ଦଳ ଗଠନ କରିବେ ପୂର୍ବତନ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ l ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି l ଦଳରେ କିଏ ସାମିଲ ହେବେ ଓ କଣ ରହିବ ଆଭିମୁଖ୍ୟ ତାକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ l ରାଜଧାନୀରେ ଯୁବ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି l ଫେରିବ ଗୌରବ, ଦରକାର ଆଉ ଏକ ବିପ୍ଳବର ସ୍ଲୋଗାନ ଦେଇ ମୋକିମ ନୂଆ ଦଳର ମୂଳଦୁଆ ପକାଇଛନ୍ତି । ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋକିମ। ରାଜ୍ୟରେ ମହିଳାମାନେ ଆଜି ଅସୁରକ୍ଷିତ। ଓଡିଶାକୁ ମଦମୁକ୍ତ କରିବାକୁ ଦେଇଛନ୍ତି ଆହ୍ୱାନ। ଏ ନେଇ ଆଗକୁ ବିପ୍ଳବ ସୃଷ୍ଟି କରାଯିବ। କଟକ ଯାହା ଚିନ୍ତା କରେ ଓଡିଶାରେ ତାହା ପ୍ରତିଫଳିତ ହୁଏ। ଯାହା ନିଷ୍ପତି ନିଏ ଆଉ ପଛକୁ ଫେରେନି ବୋଲି କହିଛନ୍ତି ମୋକିମ l ବିଜେପିର ଶୀର୍ଷ ନେତୃତ୍ୱ 4 ଥର ପ୍ରଚାର କରିବା ପରେ ମଧ୍ୟ କଟକବାସୀ ସୋଫିଆଙ୍କୁ ବିଧାନସଭା ପଠାଇଛନ୍ତ । ଏହା ହିଁ ବିଶ୍ୱାସ। ଧୀର ପାଣି ପଥର କାଟେ, ତେଣୁ ଆମେ ଅପେକ୍ଷା କରିବା। ସେପଟେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ। କହିଥିଲେ, ସ୍ୱାମୀ ବିବେକାନନ୍ଦ ଯୁବବର୍ଗଙ୍କୁ ସାହସ ଦେଉଛନ୍ତି। ଦେଶ ଆମର ପ୍ରଥମ ଦାୟିତ୍ୱ। ଖୋଲା ମଞ୍ଚରେ ବାପା ମହମ୍ମଦ ମୋକିମଙ୍କ ଅନେକ ପ୍ରଶଂସା କରିଥିଲେ ସୋଫିଆ। ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ। ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢିବା ପାଇଁ ଆମ ସମସ୍ତ ଯୁବକଙ୍କୁ ଏକ ହେବାକୁ ପଡିବ ବୋଲି କହିଥିଲେ ସୋଫିଆ ଫିର୍ଦ୍ଦୋସ ।

