ନନ୍ଦିଘୋଷ ବ୍ୟୁରୋ : ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଭୁବନେଶ୍ୱର କୋର୍ଟଙ୍କ ଝଟକା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚଢ଼ିପାରିବେ ନାହିଁ ମଞ୍ଚ । ସ୍ବପ୍ନ ମହଲ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୀୟୂଷଙ୍କୁ ଲାଗିଲା ରୋକ । ପ୍ରମୋଦ ସ୍ୱାଇଁଙ୍କ ଯାତ୍ରା ପାର୍ଟି ସହ ପୀୟୂଷ ତ୍ରିପାଠୀଙ୍କ ସହ ହୋଇଥିଲା ୨ବର୍ଷର ଚୁକ୍ତି । ଚୁକ୍ତି ଖିଲାପ କରି ପୀୟୂଷ ତ୍ରିପାଠୀ ଯାତ୍ରା ସିଂହ ବାହିନୀକୁ ଯାଇଥିଲେ । ଗତ ୫ ତାରିଖରେ ଯାତ୍ରା ସିଂହ ବାହିନୀ ପାର୍ଟିରେ ‘ତୁ ମୋ ବଜରଙ୍ଗି’ ନାଟକରେ ଦୀର୍ଘ ଏକ ବର୍ଷ ପରେ ମଞ୍ଚକୁ ଚଢିଥିଲେ ।
କୋର୍ଟଙ୍କ ଏହି ନୋଟିସ୍ ପରେ ପୀୟୂଷ ତ୍ରିପାଠୀ କହିଛନ୍ତି, ମୋ ପାଖରେ କୋର୍ଟଙ୍କ ଅର୍ଡର ପହଞ୍ଚି ନାହିଁ। ଅର୍ଡର ପହଞ୍ଚିବା ପରେ ଉତ୍ତର ଦେବି। ପୂର୍ବ ବିବାଦରେ ସମାଧାନ ହୋଇଥିଲା। ଯଦି କୌଣସି ଇସ୍ୟୁ ଉଠିଥାଏ, ତେବେ ପୁଣି କୋର୍ଟକୁ ଯିବେ ବୋଲି କହିଛନ୍ତି ପୀୟୂଷ। ଯାତ୍ରା ପାର୍ଟି ସୂର୍ଯ୍ୟ ମନ୍ଦିର ସହ ଦୁଇ ବର୍ଷ ଏଗ୍ରିମେଣ୍ଟ କରିଥିଲେ ପୀୟୁଷ। ଅସୁସ୍ଥ ହେବାରୁ କିଛି ଦିନ ବିରତି ନେଇଥିଲେ। କିଛି ଦିନ ତଳେ ସେ ଯାତ୍ରା ସିଂହବାହିନୀର ନୂଆ ନାଟକ ତୁ ମୋ ବଜରଙ୍ଗୀ ଜରିଆରେ ପୁଣି ମଞ୍ଚକୁ ଫେରିଥିଲେ। ଏହା ବିରୋଧରେ ସୂର୍ଯ୍ୟମନ୍ଦିର ଯାତ୍ରା ଅନୁଷ୍ଠାନ ଭୁବନେଶ୍ୱର କୋର୍ଟକୁ ଯାଇଥିଲା। ଏହାର ଶୁଣାଣି କରି ଆଗାମୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ତ୍ରିପାଠୀ ଯାତ୍ରା ମଞ୍ଚରେ ଅଭିନୟ କରି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

