ଭଦ୍ରକ : ଶିକ୍ଷା ବିଭାଗରେ ସାଂଘାତିକ ତ୍ରୁଟି। ପିଲାଙ୍କୁ ପଢ଼ାଯାଉଛି ଭୁଲ ପାଠ। ଦଶମ ଶ୍ରେଣୀ ଇତିହାସ ବହିରେ ରହିଛି ଭୁଲ ତଥ୍ୟ । ୨୦୨୩ରୁ ଭୁଲ ତଥ୍ୟ ଆଧାରରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କୁ ଭୁଲ ଇତିହାସ ଶିଖାଉଛି ଶିକ୍ଷା ବିଭାଗ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଅନୁମୋଦିତ ଓ ପ୍ରକାଶିତ ହୋଇଥିବା ଦଶମ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନ ବହି ୨୦୨୩ ମସିହାରେ ଶେଷ ପାରିମାର୍ଜିତ ମୁଦ୍ରଣ ହୋଇଥିଲା । ଏହି ପରିମାର୍ଜିତ ସଂସ୍କରଣରେ ୨ ଲକ୍ଷ ବହି ଛପା ଯାଇଥିଲା । ବହିର ୩୧ ନମ୍ୱର୍ ପୃଷ୍ଠାରେ ଭାରତ ଛାଡ ଆନ୍ଦୋଳନ ଓ ଏଥିରେ ଓଡ଼ିଶାର ଭୂମିକା ବିଷୟ ଲେଖାଯାଇଛି । ତେବେ ବହିରେ ଥିବା ଅନେକ ତଥ୍ୟ ଭୁଲ ରହିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରକ୍ତତୀର୍ଥ ଇରମ ଠାରେ ୧୯୪୨ ମସିହା ସେପ୍ଟେମ୍ବର ୨୮ରେ ହୋଇଥିବା ଗୁଳିକାଣ୍ଡରେ ଓଡ଼ିଶାର ପ୍ରଥମ ମହିଳା ପରି ବେୱାଙ୍କ ସମେତ ୨୮ ଜଣ ସହିଦ ହୋଇଥିବା ଲେଖାଯାଇଛି । କିନ୍ତୁ ପ୍ରକୃତରେ ଇଂରେଜ ଆକ୍ରମଣରେ ୨୯ ଜଣ ସହିଦ ହୋଇଥିଲେ। ସେହିଭଳି ଭଦ୍ରକ ଧାମନଗର ବ୍ଲକ ଲୁଣିଆ ଠାରେ ଭାରତ ଛାଡ ଆନ୍ଦୋଳନ ବେଳେ ଶ୍ରୀଗଙ୍ଗା ଗାଁରେ ଚୌକିଦାର ପୋଷାକ ପୋଡ଼ି ହୋଇଥିଲା । କିନ୍ତୁ ବହିରେ ଶ୍ରୀଜଙ୍ଗ ବୋଲି ଲେଖାଅଛି । ଏମିତି କି ସହିଦ ଦିବସ ୧୯୪୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ପାଳନ ହେଉଥିବା ବେଳେ ବହି କହୁଛି ସେପ୍ଟେମ୍ବର ୨୧ରେ ହୋଇଥିଲା ଗୁଳିକାଣ୍ଡ । ଏହି ଘଟଣାରେ ୯ ଜଣ ସହିଦ ହୋଇଥିବା ବେଳେ ପିଲା କିନ୍ତୁ ପଢୁଛନ୍ତି ୧୦ ବା ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।ସମସ୍ତ ତଥ୍ୟକୁ ଆଧାର ନକରି କିଭଳି ଭୁଲ ତଥ୍ୟ ପ୍ରକାଶିତ ହେଲା ଓ ଶିକ୍ଷକ ଶିକ୍ଷୟିତ୍ରୀ କିଭଳି ଜାଣିପାରିଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ହୋଇଛି। ତୁରନ୍ତ ଶିକ୍ଷା ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।

