ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ଭିବିଜୀ ରାମ ଜୀ ବିଲ୍
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ବହୁଚର୍ଚ୍ଚିତ ଭିବିଜୀ ରାମ ଜୀ ବିଲ୍ । ଗତ ୧୮ ଓ ୧୯ ତାରିଖରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ଭିବିଜୀ ରାମ ଜୀ ବିଲ୍ ୨୦୨୫ । ଗତ ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲକୁ ଅନୁମୋଦନ ଦେବା ପରେ ଆଜି କେନ୍ଦ୍ର ଆଇନ ମନ୍ତ୍ରଳାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗେଜେଟ ବିଜ୍ଞପ୍ତି ପ୍ରକାଶ ପରେ ଆଜିଠାରୁ ଏହି ଆଇନ କାର୍ଯ୍ୟକାରୀ ହୋଇଛି ।
ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଆଜିବୀକା ମିଶନ ଗ୍ରାମୀଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହା ସହିତ ପୂର୍ବ ମନରେଗା ଆଇନ ନିରସ୍ତ୍ର ହୋଇଛି । ଏଣିକି ଗ୍ରାମାଞ୍ଚଳ ଆଜୀବୀକା ମିଶନ ପାଇଁ ଶ୍ରମ ବାବଦରେ ୧୦୦ ଦିନ ବଦଳରେ ୧୨୫ ଦିନ କାମ ମିଳିବ । ନୂଆ ଆଇନରେ ଏ ନେଇ ବ୍ୟବସ୍ଥା କରାଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । ଗତକାଲି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
କ’ଣ ରହିଛି ଭିବିଜୀ ରାମ ଜୀ ଆଇନରେ ?
ଏବେ ଆସନ୍ତୁ ଜାଣିବା କ’ଣ ରହିଛି ଭିବିଜୀ ରାମ ଜୀ ଆଇନରେ । ନୂଆ ଆଇନ ବଳରେ ଏଣିକି ବର୍ଷକୁ ମିଳିବ ୧୨୫ ଦିନର କାମ । ବିକଶିତ ପଞ୍ଚାୟତ ଯୋଜନା ଲାଗୁ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ୯୦:୧୦ ବଦଳରେ କେନ୍ଦ୍ର ରାଜ୍ୟର ଅନୁପାତ ୬୦:୪୦ ରହିବ । ସେହିପରି ଉତ୍ତର ପୂର୍ବାଞ୍ଚଳ ଲାଗି ଅନୁପାତ ୯୦:୧୦ ରହିବ । ଏକ ଆର୍ଥିକ ବର୍ଷରେ ୬୦ ଦିନ ଯାଏଁ କାମ ଲାଗି ରାଜ୍ୟ ବିଜ୍ଞପ୍ତି ଜାରି କରିବ । ସାପ୍ତାହିକ ମଜୁରୀ ପ୍ରଦାନ ବାଧ୍ୟତାମୂଳକ । ଗ୍ରାମୀଣ ପରିବାରକୁ ଆୟଗତ ନିରାପତ୍ତା ଦେବ ଏହି ଯୋଜନା । କୌଶଳଗତ ଭିତ୍ତିଭୂମିକୁ ଫୋକସ କରାଯାଇଛି । ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଆଞ୍ଚଳିକ ସ୍ତରରେ ଯୋଜନା ହେବ । ଗ୍ରାମୀଣ ଅର୍ଥନୀତିକୁ ସଶକ୍ତୀକରଣ କରିବାକୁ ଏହି ଯୋଜନାର ଲକ୍ଷ୍ୟ ରଖି । ୧୨୫ ଦିନ ନିଶ୍ଚିତ କାମ ଯୋଗୁଁ ୨୫ ପ୍ରତିଶତ ଅଧିକ ଆୟ । କାମ ଯୋଗାଇ ନପାରିଲେ ରାଜ୍ୟଗୁଡିକ ଦେବେ ଭତ୍ତା ।

