ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚ ଅଭିଯୋଗରେ ସିବିଆଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କୁ ଗିରଫ କରିଛି। ବିନୋଦ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। କର୍ଣ୍ଣେଲଙ୍କ ଦିଲ୍ଲୀ ଘରୁ ୨ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ରାଜସ୍ଥାନ ଘରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ପରେ, ଅଭିଯୁକ୍ତ କର୍ଣ୍ଣେଲଙ୍କ ପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ଯେ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବରେ ନିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପର ଅଭିଯୁକ୍ତ।
ସିବିଆଇ ତଦନ୍ତରୁ ଜଣାପଡିଛି ଯେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା କିଛି ଘରୋଇ ପ୍ରତିରକ୍ଷା କମ୍ପାନୀକୁ ବେଆଇନ ଭାବରେ ଲାଭ ଦେବା ପାଇଁ ଟଙ୍କା ନେଉଥିଲେ । ବେଙ୍ଗାଲୁରୁର ଏକ କମ୍ପାନୀ ଠାରୁ ଡିସେମ୍ବର ୧୮ତାରିଖରେ ଦୀପକ ୩ ଲକ୍ଷ ଲାଞ୍ଚ ନେଉଥିବାର ସୂଚନା ମିଳିଥିଲା। ଏହା ପରେ, ସିବିଆଇ ଏକ ଜାଲ ବିଛାଇ ଶର୍ମାଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ୩ ଲକ୍ଷ ଜବତ କରିବା ସହିତ, ଟଙ୍କା ଦେବାକୁ ଆସିଥିବା ବିନୋଦ କୁମାରଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି ।
ତଦନ୍ତ ସମୟରେ ଜଣାପଡିଥିଲା ଯେ କମ୍ପାନୀର ରାଜୀବ ଯାଦବ ଏବଂ ରଭଜିତ ସିଂହ ଦୀର୍ଘ ଦିନ ଧରି ଦୀପକ ଶର୍ମାଙ୍କ ସହ ଯୋଗାଯୋଗରେ ଥିଲେ। ଜଣାପଡିଥିଲା ଯେ ସେମାନେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କ ସହ ମିଶି ବିଭିନ୍ନ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରୁ ଲାଭ ପାଇବାକୁ ଚେଷ୍ଟା କରୁଥିଲେ।
ସିବିଆଇ ରିପୋର୍ଟ ଅନୁସାରେ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କ ଦିଲ୍ଲୀ ବାସଭବନରେ ଯାଞ୍ଚ ସମୟରେ ୨.୨୩ କୋଟି ଟଙ୍କାର ନଗଦ ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ପରିମାଣ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୧୬ତମ ପଦାତିକ ଡିଭିଜନ ଅର୍ଡନାନ୍ସର କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟରତ ଶର୍ମାଙ୍କ ପତ୍ନୀ କର୍ଣ୍ଣେଲ କାଜଲ ବାଲିଙ୍କ ବାସଭବନରେ ମଧ୍ୟ ସିବିଆଇର ଏକ ଟିମ୍ ଯାଞ୍ଚ କରିଥିଲା। ୧୦ ଲକ୍ଷ ନଗଦ ଜବତ ହେବା ପରେ କର୍ଣ୍ଣେଲ କାଜଲ ବାଲିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

