ବାଂଲାଦେଶରେ ପାକିସ୍ତାନର ୮ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ; ଜଳୁଛି ପୂରା ଦେଶ, ଭାରତ ସୀମା ନିକଟରେ କ୍ୟାମ୍ପ
ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ବାଂଲାଦେଶ ଅଶାନ୍ତ । ଚାରିଆଡେ ଜଳୁଛି ନିଆଁ । ନଷ୍ଟ ହେଉଛି ସରକାରୀ ସମ୍ପତ୍ତି । ଜୁଲାଇ ବିଦ୍ରୋହର ପ୍ରମୁଖ ନେତା ଶରିଫ ଉସମାନ ହାଦିଙ୍କ ହତ୍ୟା ପରେ ରାସ୍ତାରେ ବିକ୍ଷୋଭ । ନାରାବାଜି ଚାଲିଥିବା ବେଳେ ରାସ୍ତାଘାଟ ବନ୍ଦ ପଡ଼ିଛି । ଆଉ ଏହାର ସୁଯୋଗ ନେଉଛନ୍ତି ପାକିସ୍ତାନର ୮ ଆତଙ୍କବାଦୀ ସଙ୍ଗଠନ । ଯେଉଁମାନେ ବାଂଲାଦେଶର ଏମିତି ସ୍ଥିତିରେ ସେଠାରେ ଆକ୍ଟିଭ ହୋଇଯାଇଛନ୍ତି । ଏହି ୮ ଆତଙ୍କବାଦୀ ସଙ୍ଗଠନଙ୍କ ମଧ୍ୟରୁ ଗୋଟିଏ ତ ଭାରତ ସୀମା ନିକଟରେ ନିଜର କ୍ୟାମ୍ପ ପକାଇ ସାରିଛି ।
ସୂଚନାଯୋଗ୍ୟ, ହାଦିଙ୍କୁ ଡିସେମ୍ବର ୧୨ ତାରିଖରେ ଗୁଳି ମାରି ହତ୍ୟା କରାଯାଇଥିଲା । ରାଜଧାନୀ ଡାକର ପୁରୁଣା ପଲଟନ ଅଞ୍ଚଳ ବକ୍ସ କଳର୍ବଟ ରୋଡରେ ସେ ଇ-ରିକ୍ସାରେ ଥିବା ବେଳେ ତାଙ୍କୁ ଗୁଳି ମରାଯାଇଥିଲା । ନିର୍ବାଚନ ପ୍ରଚାର ବେଳେ ହାଦି ଏହି ରିକ୍ସାରେ ବସିଥିଲେ । ତାଙ୍କୁ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ମରାଯାଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା । ସେଠାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା ।
୮ ଲୋକେଶନରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ
ବାଂଲାଦେଶ ଜଳୁଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନେଇ ଆସିଥିବା ସୂଚନା ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଦେଶରେ ୮ଟି ଲୋକେଶନରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ ହୋଇଯାଇଛନ୍ତି । ଚଟଗାଓଁ-ଲାଲଖାନ ଲୋକେଶନରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଅନସାର ଅଲ-ଇସଲାମ ଓ ଲସ୍କର-ଏ-ତୋଏବା ଆକ୍ଟିଭ ହୋଇଛନ୍ତି । ସୂଚନା ଅନୁସାରେ, ହାରୁନ ଇଜହାର ଓ ପୂର୍ବ ମେଜର ଜିୟା ଏହି ସଙ୍ଗଠନକୁ ଚଲାଉଛନ୍ତି ।
ଅନସାର ଅଲ-ଇସଲାମ ଆତଙ୍କବାଦୀ ସଙ୍ଗଠନ ଅଲ-କଏଦା ଓ ଓସାମା ବିନ ଲାଦେନ ସହ ସିଧାସଳଖ ଜଡିତ । ଆତଙ୍କବାଦୀ ସଙ୍ଗଠନ ପାଇଁ ଯୋଜନା ବନାଇବା, ଆର୍ଥିକ ସହାୟତା ପ୍ରଦାନ, ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଆତଙ୍କବାଦୀ ଆକ୍ରମଣ କରାଇବା ଭଳି ଅଭିଯୋଗ ଏହି ସଙ୍ଗଠନ ଉପରେ ରହିଛି । ବର୍ତ୍ତମାନ ଏହି ସଙ୍ଗଠନ ବାଂଲାଦେଶରେ ଆକ୍ଟିଭ ଥିବା ଗୁଇନ୍ଦା ସୂଚନା ମିଳିବାରେ ଲାଗିଛି ।
ଲସ୍କର-ଏ-ତୋଏବା (LeT) ଅଲ-କାଏଦା, ଓସାମା ବିନ ଲାଦେନ ଓ ତାଲିବାନ ସହ ଜଡିତ । ଲସ୍କର ୧୯୯୩ରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିଲା । ଯେଇଁଥିରେ ୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ୨୦୦୬ରେ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଓ ୨୦୦୮ ମୁମ୍ବାଇ ଆଟକ୍ ରହିଛି ।
ସେହିପରି ବାଂଲାଦେଶର ବାସିଲରେ ମଧ୍ୟ ଆତଙ୍କବାଦୀ ସଂଗଠନ ଆକ୍ଟିଭ ଥିବା ସୂଚନା ମିଳିଛି । ତେବେ କେଉଁ ସଙ୍ଗଠନ ଏଠାରେ ନିଜର ଉପସ୍ଥିତି ଜାହିରି କରୁଛି ତାହା ସ୍ପଷ୍ଟ ହୋଇନି ।
ସୂଚନା ଅନୁସାରେ, ବାଂଲାଦେଶର ତାମିର-ଉଲ- ମିଲ୍ଲତ ମଦରସା ଲୋକେଶନରେ ମଧ୍ୟ ଏକ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ ରହିଛି । ଏହି ଅଞ୍ଚଳରେ ଇସଲାମୀ ଛାତ୍ର ସଙ୍ଗଠନ ଓ ଆଇଏସଆଇ ଆକ୍ଟିଭ ଅଛନ୍ତି । ଇସଲାମି ଛାତ୍ର ସଙ୍ଘ ବାଂଲାଦେଶର ଜମାତ-ଏ-ଇସଲାମୀ (JeI) ଛାତ୍ର ସଂଗଠନ । ଯାହାର ସମ୍ପର୍କ ପୂର୍ବ ପାକିସ୍ତାନର ପୂର୍ବବର୍ତ୍ତି tଙ୍ଗଠନ ଇସଲାମୀ ଛାତ୍ର ସଙ୍ଘ (ICS) ସହ ରହିଛି । ଯିଏ ବାଂଲାଦେଶ ସ୍ବାଧୀନତାକୁ ବିରୋଧ କରିଥିଲା ।
ସେହିପରି ମହମ୍ମଦପୁର ମଦରସା ଲୋକେଶନରେ ମଧ୍ୟ ଏକ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ ଥିବା ଗୁଇନ୍ଦା ସୂଚନା ମିଳିଛି ।
ଚଟଗାଓଁ ପାହାଡି କ୍ଷେତ୍ରରେ ମଧ୍ୟ ଏକ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ ରହିଛି । ଏହି ଅଞ୍ଚଳ ଭାରତର ତ୍ରିପୁରା ଓ ମିଜୋରାମ ଏବଂ ମିଆଁମାର ନିକଟରେ ରହିଛି । ଜମାତୁଲା ଅନସାର ଫିଲ ହିନ୍ଦଲ ନାମକ ସଙ୍ଗଠନ ଏହି ଅଞ୍ଚଳରେ ସକ୍ରିୟ ଅଛି । ଶାମିନ ମହଫୁଜ ଏହାକୁ ସହଯୋଗ କରୁଛି । ଯାହାକୁ ୨୦୨୪ ଅଗଷ୍ଟ ୫ରେ ଜେଲରୁ ଖଳାସ କରାଯାଇଥିଲା । ଏହାସହ ଏଆରଏସଏ ସହ ବି ଏହି ସଙ୍ଗଠନ ସମ୍ପର୍କରେ ରହିଛି ।
ରିଭର ବ୍ୟାଙ୍କ ଅଞ୍ଚଳରେ ମଧ୍ୟ ଏକ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ ରହିଛି । ଏହି ଲୋକେଶନରେ ଜମାତ-ଉଲ-ମୁଜାହିଦିନ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି ।
ବୋଗୁରା ଓ ଚାପାଇନବାବଗଞ୍ଜ ଅଞ୍ଚଳରେ Neo-JMB (ନିୟୋ-ଜମାତ ମୁଜାହିଦିନ ବାଂଲାଦେଶ) ଆକ୍ଟିଭ ରହିଛି । ଏହା ଆଇଏସଆଇଏସ ନୀତିରେ ଅନୁପ୍ରାଣିତ । ବାଂଲାଦେଶ ଇତିହାସହରେ ଏହା ସବୁଠାରୁ ହିଂସକ ଚରମପନ୍ଥି ଗ୍ରୁପ ଭାବେ ପରିଚିତ । ଚାପାଇନବାବଗଞ୍ଜ ଜିଲ୍ଲା ଭାରତର ପଶ୍ଚିମବଙ୍ଗ (ମାଲଦା ଜିଲ୍ଲା)କୁ ଲାଗି ରହିଛି । ଏହାକୁ ଭାରତୀୟ ସୀମାର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଇଥାଏ ।
ଡାକାରେ ଆବାସିକ ହଲ ଲୋକେଶନରେ ମଧ୍ୟ ଏକ ଆତଙ୍କବାଦୀ ସଙ୍ଗଠନ ଆକ୍ଟିଭ ରହିଛି । ଏଠାରେ ହିଜବ ଉତ-ତହରିକ (HuT) ସଙ୍ଗଠନ ଆକ୍ଟି ରହିଥିବା ସୂଚନା ମିଳିଛି ।

