spot_img

Latest Posts

ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ଇଣ୍ଡିଗୋ ବିମାନସେବା ଠପ ହେବା ପରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଗନ୍ତବ୍ଯ ସ୍ଥଳକୁ ଯିବା ପାଇଁ ୫ ହଜାର ଟଙ୍କାର ଟିକେଟ ପାଇଁ ଯାତ୍ରୀଙ୍କୁ ୮୦ ହଜାରରୁ ଅଧିକ ଚାର୍ଜ କରୁଛନ୍ତି ଅନ୍ଯ ଏୟାରଲାଇନସ। ଏହାକୁ ନେଇ ଗତକାଲିଠୁ ହୋ ହଲ୍ଲା ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଛି। ଏ ନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରୀ ରାମ ମୋହନ ନାଇଡ଼ୁ।

ଇଣ୍ଡିଗୋ ବିମାନସେବା ବାତିଲ ହେବା ପରେ ଯେଉଁ ଯାତ୍ରୀମାନେ ନିଜର ଗନ୍ତବ୍ଯ ସ୍ଥଳକୁ ଯିବାକୁ ଟିକେଟ କରୁଛନ୍ତି ସେମାନଙ୍କଠାରୁ ଉପଯୁକ୍ତ ମୂଲ୍ଯଠାରୁ ଅଧିକ ନ ନେବାକୁ ଅପିଲ କରିଛନ୍ତି କେନ୍ଦ୍ର ସରକାର। ସେପଟେ ଇଣ୍ଡିଗୋ ବିମାନରେ ଯାତ୍ରା କରିବା ପାଇଁ ଟିକେଟ କରିଥିବା ଯାତ୍ରୀଙ୍କୁ ଅବିଳମ୍ବେ ଟିକେଟ ଅର୍ଥ ଫେରସ୍ତ କରିବାକୁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଛି।

ଡିସେମ୍ବର ୭ ତାରିଖ ରାତି ୮ଟା ପର୍ଯ୍ଯନ୍ତ ବାତିଲ ହୋଇଥିବା ଇଣ୍ଡିଗୋ ଫ୍ଲାଇଟଗୁଡ଼ିକରେ ଟିକେଟ କରିଥିବା ଯାତ୍ରୀଙ୍କୁ ଶତପ୍ରତିଶତ ଟିକେଟ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସର୍ତ୍ତାବଳୀ ମୁତାବକ କୌଣସି ଚାର୍ଜ ଯାତ୍ରୀଙ୍କ ଟିକେଟ ଅର୍ଥରୁ କଟାଯିବନି। ଯଦି ଟିକେଟ ଅର୍ଥ ଫେରସ୍ତ କରିବାରେ ବିଳମ୍ବ ହୁଏ, ତା’ହେଲେ ଅଭିଯୋଗ ଆଧାରରେ ଇଣ୍ଡିଗୋ ବିମାନ କମ୍ପାନୀ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି। ଏଥିପାଇଁ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସେଲ ଖୋଲାଯାଇଛି। ଏହାସହିତ ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କ ବ୍ଯାଗ ଓ ଲଗେଜ ଅଲଗା କରାଯାଇଥିଲେ ଆଗାମୀ ୪୮ ଘଣ୍ଟା ଭିତରେ ଯାତ୍ରୀଙ୍କ ଫେରସ୍ତ କରିବା ସହ କିମ୍ବା ଯାତ୍ରୀଙ୍କ ଘର ଠିକଣାରେ ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହିତ ଇଣ୍ଡିଗୋ ବିମାନ କମ୍ପାନୀଙ୍କୁ କଡ଼ା ତାଗିଦ କରାଯାଇଛି । ଉଡ଼ାଣ ବାତିଲ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଯାତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିବ। ଯାତ୍ରୀ କିମ୍ବା ତାଙ୍କ ସମ୍ପର୍କୀୟ ଫୋନ କଲେ ତୁରନ୍ତ ଉତ୍ତର ଦେବେ ଏୟାଲାଇନସ କର୍ମଚାରୀ। ଇଣ୍ଡିଗୋ ବିମାନସେବା ଠପ୍‌ ହେବା ପରେ ଦେଶର ପ୍ରାୟ ସବୁ ବିମାନବନ୍ଦରଗୁଡ଼ିକରେ ରେଳ ଷ୍ଟେସନରେ ଭିଡ଼ ପରି ଦୃଶ୍ଯ ଦେଖିବାକୁ ମିଳିଛି। ଲୋକଙ୍କୁ ପିଇବାକୁ ପାଣି ମିଳୁନି। ଛୋଟ ପିଲା ଧରି ୧୦ରୁ ୧୨ ଘଣ୍ଟା ଲୋକେ ଅପେକ୍ଷା କରି ରହୁଛନ୍ତି। ଏଥିପାଇଁ ବିମାନବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା ମୌଳିକ ସେବା ଯୋଗାଇ ଦେବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ଯ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ। ବରିଷ୍ଠ ନାଗରିକ, ରୋଗୀ, ଦିବ୍ଯାଙ୍ଗ ଯାତ୍ରୀ ଫସିଥିଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଓ ଯତ୍ନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ। ଏଭଳି ଯାତ୍ରୀଙ୍କୁ କିପରି ବିକଳ୍ପ ବିମାନସେବା ଯୋଗାଇ ସେମାନଙ୍କ ଗନ୍ତବ୍ଯ ସ୍ଥଳରେ ପହଞ୍ଚାଇ ଦିଆଯିବ ସେ ନେଇ ବ୍ଯବସ୍ଥା କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଅନ୍ଯ ବିମାନସେବା ଯୋଗାଉଥିବା ଏୟାରଲାଇନସ ପଦକ୍ଷେପ ନେବେ। କେନ୍ଦ୍ର ସରକାର ଏଭଳି ଅସୁବିଧା ସମୟରେ ପୂରା ସଜାଗ ଦୃଷ୍ଟି ରଖିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜଣାଇଛି।

Latest Posts

Don't Miss