spot_img

Latest Posts

ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ପରାଜୟ: ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍

ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ବଡ଼ ପରାଜୟ ଦେଖିବାକୁ ମିଳିଛି । ଦ୍ବିତୀୟ ଟେଷ୍ଟରେ ୪୦୮ ରନରେ ପରାଜୟବରଣ କରିଛି ଭାରତୀୟ ଟେଷ୍ଟ ଟିମ୍ । ଏହାସହିତ ତେମ୍ବା ବାଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜକୁ କ୍ଲିନ୍ ସୁଇପ୍ କରିଛି ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୨୦୧ରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୨୬୦ ରନରେ ପାଳି ଘୋଷଣା କରିଥିବା ବେଳେ ପଞ୍ଚମ ଦିନରେ ଭାରତ ୧୪୦ ରନରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ଫଳରେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନ ସାଉଥ ଆଫ୍ରିକା ଭାରତ ବିପକ୍ଷରେ ଇତିହାସ ରଚିଛି । ଗତ ୨୫ ବର୍ଷ ଧରି ଭାରତରେ ଟେଷ୍ଟ ସିରିଜ ଜିତିବାର ଅପେକ୍ଷା କରି ଶେଷରେ ସଫଳତା ହାସଲ କରିଛି ଦକ୍ଷିଣ ଆଫ୍ରିକା । ପୁଣି ଥରେ ଘରୋଇ ମାଟିରେ ଭାରତୀୟ ଟେଷ୍ଟ ଟିମର ଦୁର୍ବଳ ପ୍ରଦର୍ଶନ ସାମ୍ନାକୁ ଆସିଛି ।

ଗୁଆହାଟୀ ଟେଷ୍ଟରେ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ପଞ୍ଚମ ଦିନରେ ୫୨୨ ରନର ଆବଶ୍ୟକତା ରହିଥିଲା । ହାତରେ ୮ଟି ଓ୍ବିକେଟ ରହିଥିଲା । ଯଦି ଭାରତ ଏହି ଟେଷ୍ଟକୁ ଡ୍ର କରିପାରିଥାନ୍ତା ତେବେ ହୁଏତ କିଛିଟା ଆଶ୍ବସ୍ତି ମିଳିପାରିଥାନ୍ତା । ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ଭାରତୀୟ ବୋଲରମାନେ ଓ୍ବିକେଟ ନେବାରେ ଅକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକୀୟ ବୋଲର ୫-୬ଟି ଲେଖାଏଁ ଓ୍ବିକେଟ ନେଉଥିଲେ । ସେହିପରି ବ୍ୟାଟିଂରେ ଭାରତୀୟ ବ୍ୟାଟ୍ସମ୍ୟାନ ଗୋଟିଏ ଇନିଂସରେ ୧ଟି ଅର୍ଦ୍ଧଶତକ ହାସଲ କରିବାକୁ ସଂଘର୍ଷ କରୁଥିଲା ବେଳେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ହାଇ ସ୍କୋର କରିପାରୁଥିଲେ । ଏହା ହିଁ ଥିଲା ଦୁଇ ଦଳର ପ୍ରଦର୍ଶନ ମଧ୍ୟରେ ବଡ଼ ଫରକ ।

Latest Posts

Don't Miss