ଭାରତର ସୁପ୍ରିମକୋର୍ଟର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଏହି ପଦରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ୧୪ ମାସ ପାଇଁ ରହିବେ । ଏହି ପଦରେ ଅଧିଷ୍ଠିତ ହେବା ପରେ ସିଜେଆଇଙ୍କୁ ଅନେକ ବିଶେଷ ସୁବିଧା ମିଳିବ । ତେବେ ସିଜେଆଇଙ୍କୁ କେତେ ଟଙ୍କା ବେତନ ମିଳେ ତାହା ଆପଣମାନେ ଜାଣନ୍ତି କି ? ୨୦୧୬ରେ କେନ୍ଦ୍ର ବେତନ ଆୟୋଗଙ୍କ ସୁପାରିଶର ପରିଣାମସ୍ବରୂପ, ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶମାନଙ୍କ ବେତନ ଓ ଭତ୍ତା ସଂଶୋଧନ କରାଯାଇଥିଲା । ମୁଖ୍ୟ ବିଚାରପତି, ସୁପ୍ରିମକୋର୍ଟର ବିଚାରପତି ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ବେତନ ଓ ଅନ୍ୟ ସେବା ସର୍ତ୍ତରେ ସଂଶୋଧନର ସୁପାରିଶ କିରବା ପାଇଁ କମିଟି ଗଠନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୧୭ ମସିହା ନଭେମ୍ବର ୨୨ରେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କ ବେତନ, ଭତ୍ତା, ପେନସନ ଆଦିରେ ସଂଶୋଧନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା ।
ଭାରତର ମୁଖ୍ୟ ବିଚାରପତିଙ୍କୁ ପ୍ରତି ମାସରେ ୨.୮ ଲକ୍ଷ ଟଙ୍କା ବେତନ ଆକାରରେ ମିଳିଥାଏ । ଘର ଭଡ଼ା ଭତ୍ତା ମୂଳ ବେତନର ୨୪ ପ୍ରତିଶତ ଓ ସତ୍କାର ଭତ୍ତା ୪୫ ହଜାର ଟଙ୍କା ପ୍ରତି ମାସରେ ଦିଆଯାଇଥାଏ । ଏହାଛଡ଼ା ତାଙ୍କୁ ୧୦ ଲକ୍ଷ ଟଙ୍କାର ଫର୍ଣ୍ଣିଂଶିଂ ଭତ୍ତା ମଧ୍ୟ ମିଳିଥାଏ । ଏହାବ୍ୟତୀତ ତାଙ୍କୁ ପେନସନ ଭାବେ ୧୬ ଲକ୍ଷ ୮୦ ଟଙ୍କା ପ୍ଲସ ମହଙ୍ଗା ଆଶ୍ବସ୍ତି ଭତ୍ତା ପ୍ରତି ବର୍ଷ ମିଳିଥାଏ । ସୁପ୍ରିମକୋର୍ଟର ଜଜମାନଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରତି ମାସରେ ବେତନ ମିଳିଥାଏ । ମୂଳ ବେତନର ୨୪ ପ୍ରତିଶତ ଘର ଭଡ଼ା ଆକାରରେ ମିଳିଥାଏ । ସେମାନଙ୍କୁ ଫର୍ଣ୍ଣଂଶିଂ ଆଲାଉନ୍ସ ଭାବେ ୮ ଲକ୍ଷ ଟଙ୍କା ମିଳେ ଓ ସତ୍କାର ଭତ୍ତା ଭାବେ ୩୪ ହଜାର ଟଙ୍କା ପ୍ରତି ମାସରେ ମିଳିଥାଏ । ସୁପ୍ରିମକୋର୍ଟର ଜଜଙ୍କ ମୂଳ ବେତନ ବାର୍ଷିକ ୧୫ ଲକ୍ଷ ଟଙ୍କା ହୋଇଥାଏ । ଗ୍ରାଚ୍ୟୁଟି ଭାବେ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯାଇଥାଏ ।

