ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଥମୁନି ପ୍ରଦୂଷଣର ମାତ୍ରା। ଲଗାତାର ପ୍ରଦୂଷଣ ବଢି଼ଚାଲିଥିବାରୁ ଗ୍ରାପ୍ ୩ ନିୟମ କଡାକଡି କରାଯାଇଛି। ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଆଜି AQI ସ୍ତର 400 ଅତିକ୍ରମ କରିଥିଲା। ଯାହା ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଭାବେ ଧରାଯାଉଛି। ଦିଲ୍ଲୀ, ନୋଏଡା ଏବଂ ଗୁରୁଗ୍ରାମରେ ବାୟୁ ପ୍ରଦୂଷଣର ବର୍ଦ୍ଧିତ ସ୍ତରକୁ ଦୃଷ୍ଟିରେ ରଖି GRAP ପ୍ରତିବନ୍ଧକକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ନିଆଯାଇଛି। GRAP ୩ ସହ GRAP୪ ପ୍ରତିବନ୍ଧକକୁ ସାମିଲ କରିବାକୁ ସୁପାରିଶ କରାଯାଇଛି। ଏଥିରେ କର୍ମଚାରୀ ଘରୁ କାମ କରିବା ଲାଗି ପରାମର୍ଶ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। କଠୋର କଟକଣା ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିବ। କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯିବ କି ନାହିଁ ଏହି ନିଷ୍ପତ୍ତି ହୋଇନାହିଁ। ନୋଏଡା ଏବଂ ଗାଜିଆବାଦରେ ପ୍ରଦୂଷଣ ସ୍ତର ଆହୁରି ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଗାଜିଆବାଦର ଲୋନି ଅଞ୍ଚଳ ସମେତ ଅନେକ ସ୍ଥାନରେ AQI 450 ଉପରେ ରେକର୍ଡ କରାଯାଇଛି। ଏହି ପ୍ରଦୂଷଣ ଯୋଗୁଁ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଏବଂ ଆଖି ଜ୍ୱଳନ ଅଭିଯୋଗ ଆସିଛି।

