ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାରିହା ପଥର ଜଳପ୍ରପାତ l ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏହି ଜଳ ପ୍ରପାତ।ବ୍ରହ୍ମପୁର ଠାରୁ ପାତ୍ରପୁର ବ୍ଲକ ବୁରାତାଲକୁ ଯିବା ପରେ ମହେନ୍ଦ୍ରଗିରି ଯିବା ରାସ୍ତାରେ ପଡେ ଏହି ଓ୍ବାଟରଫଲ l ରାସ୍ତାରେ ଗଲାବେଳେ ମନ ମୋହିଥାଏ ଘଞ୍ଚ ଜଙ୍ଗଲ ଓ ପାହାଡ଼ର ଦୃଶ୍ୟ । ମହେନ୍ଦ୍ରଗିରି ପାହାଡ଼ରୁ ଝରି ଆସୁଥିବା ଜଳପ୍ରପାତ ପଥର ଦେହରେ ଚିରି ହୋଇ କୁଳୁ କୁଳୁ ହୋଇ ବହିଥାଏ । ଏହି ଝରଣାରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ। ଛୁଟି ଦିନରେ ବହୁ ପର୍ଯ୍ୟଟକଙ୍କ ଏଠାରେ ଭିଡ଼ ଜମିଥାଏ l ପ୍ରକୃତି କୋଳରେ କିଛି ସମୟ ପାଇଁ ହଜିଯିବାର ମଜା ଏଠାରେ ମିଳିଥାଏ ବୋଲି କହିଛନ୍ତି ପର୍ଯ୍ୟଟକ ।
ବାରିହା ପଥର ଜଳପ୍ରପାତକୁ ଲାଗି ରହିଛି ବାରିହା ପ୍ରତିମୂର୍ତ୍ତି l ଏଠାରେ ବାରିହାଙ୍କ ମୂର୍ତ୍ତିକୁ ପୂଜା କରିଥାନ୍ତି ସ୍ଥାନୀୟ ଲୋକେ l କେବଳ ବାରିହା ପଥର ନୁହେଁ ପାତ୍ରପୁର ଅଞ୍ଚଳରେ ବହୁ ଜଳପ୍ରପାତ ରହିଛି ଯାହା ବିକାଶ ଆଢ଼ୁଆଳରେ ରହିଯାଇଛି। ସେଗୁଡିକର ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ l ତେବେ ଆଗକୁ ଏହି ଜଳପ୍ରପାତ ଗୁଡ଼ିକର ଉନ୍ନତି କିଭଳି ହେବ ଓ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

