ନନ୍ଦିଘୋଷ ବ୍ୟୁରୋ : ସୋର କୋର୍ଟ ମାଲଖାନାର ଲୁଟ ଘଟଣାର ପର୍ଦାଫାଶ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ପିସ୍ତଲ ସହିତ ୨୫ ରାଉଣ୍ଡ ଗୁଳି, ସୁନା ରୂପା ଅଳଙ୍କାର ଜବତ କରିଛି । ସୋର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ ଏନେଇ ସୂଚନା ଦେଇଛନ୍ତି । ଗତ ଦୁଇ ତାରିଖରେ ବିଳମ୍ବିତ ରାତିରେ ଡକାୟତ ମାନେ ପାଚେରୀ ଡେଇଁ କୋର୍ଟ ପରିସରରେ ଥିବା ମାଲଖାନାର ଚାବି ଭାଙ୍ଗି ଲୁଟ କରି ଫେରାର ହୋଇଯାଇଥିଲେ । ଲୁଟ ହୋଇଥିବା ନେଇ ସୋର ସିଭିଲ କୋର୍ଟ କମ୍ପ୍ଲେକ୍ସ ଷ୍ଟୋର ରୁମ ଡେପୁଟି ପ୍ରଶାସକ କମ-କ୍ଲାର୍କ-ଇନ୍ ଚାର୍ଜ ମାନସ ରଞ୍ଜନ ବେହେରା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ବାଲେଶ୍ୱର ଏସପି ଏକ ଟିମ ଗଠନ କରି ସଦର ଏସ୍ଡ଼ିପିଓଙ୍କ ନେତୃତ୍ୱରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ । ନୀଳଗିରି କାହାଳିଆ ଅଞ୍ଚଳର ଭବାନୀ ଶଙ୍କର ମହଲା ଓ ତାର ସହଯୋଗୀ ସିଭିଲ କୋର୍ଟ ଷ୍ଟୋର ରୁମ ଚାବି ଭାଙ୍ଗି ଲୁଟ କରି ଫେରାର ଥିବା ଜଣାପଡିଥିଲା । ପରଦିନ ଭବାନୀ ଶଙ୍କର ମହଲାକୁ ଗିରଫ କରିଥିଲା ପୋଲିସ । ଏହାସହ ତାକୁ ସହଯୋଗ କରିଥିବା ତାର ଭଉଣୀ ହରପ୍ରିୟା ମହଲା ସମେତ ସୁନା ରୂପା ଅଳଙ୍କାର କିଣିଥିବା ବାଗୁଡ଼ି ଅଞ୍ଚଳର ସୁନା ଦୋକାନୀ ନିରଞ୍ଜନ ରଣା, ରୁଷୋ ଅଞ୍ଚର କମଳାକାନ୍ତ ରଣା ଓ ଖଇରା ଥାନା ତୁଡିଗଡ଼ିଆ ଦାମୋଦର ବେଜକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା, ଗୋଟିଏ ପିସ୍ତଲ, ୨୫ ରାଉଣ୍ଡ ଗୁଳି, ଗୋଟିଏ ମଟର ସାଇକେଲ ଧରିବାରେ ସଫଳତା ପାଇଛି ।

