ନନ୍ଦିଘୋଷ ବ୍ୟୁରୋ: ପୃଥିବୀ ଆଡ଼କୁ ମାଡ଼ିଆସୁଛନ୍ତି ଏଲିୟନ। କୌଣସି ଏକ ମହାଜାଗତିକ ଅଣ୍ଡାକୃତି ଯାନରେ ବହୁତ ସ୍ପିଡରେ ମାଡ଼ିଆସୁଛନ୍ତି। ଏତେ ସ୍ପିଡରେ ଯାନଟି ମାଡ଼ିଆସୁଛି ହୋଇପାରେ ପୃଥିବୀ ସହିତ ଧକ୍କା। ପୃଥିବୀବାସୀଙ୍କ ଉପରେ କଣ ଏଲିୟନ ହମଲା କରିବେ ? କରିପାରନ୍ତି ଧରିତ୍ରୀ ଉପରେ କବଜା। କଣ ହେବ ପୃଥିବୀର ଅବସ୍ଥା ? କଣ ଧ୍ବଂସ ପାଇଯିବ ଜୀବଜଗତ ? ଆଶା ଆଶଙ୍କାରେ ବିଶ୍ବବାସୀ। ତେବେ ବୈଜ୍ଞାନିକଙ୍କ ମତ କୌଣସି ଏକ ଅଜଣା ମହାଜାଗତିକ ତାରା ମଣ୍ଡଳରୁ ଛିଟିକା ପଡ଼ିଥିବା ଧୂମକେତୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି।
ପୃଥିବୀ ଆଡ଼କୁ ମାଡ଼ି ଆସୁଛନ୍ତି ଏଲିୟନ। ତା ପୁଣି ଏକ ବୃହତ ମହାକାଶ ଯାନରେ। ଏହି ଅଦ୍ଭୁତ ଯାନ ମାଡ଼ି ଆସୁଛି ସବୁଜ ସୁନ୍ଦର ପୃଥିବୀ ଆଡ଼କୁ। ଯେଭଳି ବେଗରେ ମାଡ଼ି ଆସୁଛି, ଲାଗୁଛି ପୃଥିବୀକୁ ଏଲିୟନ କବଜା କରିବାକୁ ଆସୁଛନ୍ତି। ଏଭଳି ଆଚମ୍ବିତ କଲାଭଳି ଦୃଶ୍ଯ ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା। ଆଉ ଆସନ୍ତା ଡିସେମ୍ବର ଶେଷ ଆଡ଼କୁ ପୃଥିବୀ ଦେହରେ ସେହି ଯାନଟି ମାଡ଼ ହୋଇପାରେ। ଯଦି ମାଡ଼ ହେବ ତାହେଲେ କଣ ହେବ ପୃଥିବୀ ଅବସ୍ଥା ? କଣ ଧ୍ବଂସ ପାଇଯିବ ପୃଥିବୀ ? କଣ ଏଲିୟନମାନେ ପୃଥିବୀର ଜୀବଜଗତ ଉପରେ କବଜା କରି ସବୁ କିଛି ନିଜ ନିୟନ୍ତ୍ରଣକୁ ନେଇଯିବେ ? ଏଭଳି ମାଳ ମାଳ ପ୍ରଶ୍ନ ଏବେ ବୈଜ୍ଞାନିକଙ୍କ ମନରେ। ବୈଜ୍ଞାନିକଙ୍କ କହିବା କଥା, ଏହା ଆମ ସୌରମଣ୍ଡଳର ନୁହେଁ। ଏଥିପାଇଁ ନାସାର ବୈଜ୍ଞାନିକ, ଜାପାନର ବୈଜ୍ଞାନିକ ଓ ଅନ୍ଯଦେଶର ମହାକାଶ ବିଜ୍ଞାନୀଙ୍କ ଭିତରେ ଆତଙ୍କ ଖେଳିଯାଇଛି। ମାତ୍ର ଦୁଇ ସପ୍ତାହ ତଳେ ଆକାଶଗଙ୍ଗା ସୌରମଣ୍ଡଳରେ ଦୃଶ୍ଯମାନ ଏହି ଯାନଟି କେତେବେଳେ ରହିଯାଉଛି, ତ ପୁଣି କେତେବେଳେ ଗତିଶୀଳ ହେଉଛି। ପ୍ରତି ସେକେଣ୍ଡ ପିଛା ଏହା ୪୮ କିଲୋମିଟର ବେଗରେ ଗତି କରୁଥିଲା। ଏବେ କିଛି ଦିନ ହେଲାଣି ଏହାର ବେଗରେ ୨.୮ କିଲୋମିଟର ହ୍ରାସ ପାଇଛି। ଏହାର ନାଁ 3i ATLAS । ଗତମାସ ୩୦ ତାରିଖରେ 3i ATLAS ସୂର୍ଯ୍ଯଙ୍କୁ ଅତିକ୍ରମ କରି ସାରିଛି। ଏବେ ଯାନଟି ପୃଥିବୀ ଠାରୁ ୩୧ କୋଟି ୧୫ ଲକ୍ଷ ୩୬ ହଜାର ୭୫୩ କିଲୋମିଟର ଦୂରରେ ରହିଛି।
୨୦୨୫ ଜୁଲାଇ ୨୫ ତାରିଖରେ ଆଟାଲାସ ସଂସ୍ଥାର ବୈଜ୍ଞାନିକ ଟେଲିସ୍କୋପ ଜରିଆରେ ପ୍ରଥମେ 3i ATLASକୁ ଦେଖିଥିଲେ। ଏଭଳି ଏକ ଅଦ୍ଭୁତ ଜିନିଷ ମହାକାଶରେ ଦେଖିବାକୁ ପାଇଥିଲେ। ତାରାପୁଞ୍ଜ ଭିତରୁ ଏକ ଉଜ୍ଜଳ ଆଲୋକ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଇଥିଲା। ଢାଙ୍କି ଦେବାର କ୍ଷମତା ରଖୁଛି ଏହି ଯାନ। ବାସ୍ତବରେ ଏହା ଯାନ ନା ଆଉ କିଛି। ଧୀରେ ଧୀରେ ବୈଜ୍ଞାନିକଙ୍କ ଭିତରେ ଏହି ବିଷୟରେ ଜାଣିବାକୁ ଆରମ୍ଭ ହୋଇଗଲାଣି ଉତ୍ସୁକତା। କେତେକ ବୈଜ୍ଞାନିକଙ୍କ ମତରେ ଏହା ଗୋଟିଏ ବଡ଼ ଧୂମକେତୁ। ଆଉ ଏହା ବରଫ ଓ ଧୂଳିକଣାରେ ତିଆରି ହୋଇଛି। ପ୍ରାୟ ୪୦୦ କୋଟି ବର୍ଷ ପୂର୍ବେ ଏହାର ଗଠନ ହୋଇଥିଲା। ଏହା ମଝିରୁ ଏଭଳି ଉଜ୍ଜ୍ବଳ ଆଲୋକ ବାହାରୁଛି, ଲାଗୁଛି ସତେ ଯେପରି ଅଗ୍ନି ବର୍ଷା ହେଲାଭଳି। କାହିଁକି ଏହି ଧୂମକେତୁର ନାଁ ରହିଛି 3i ATLAS ? I ମାନେ ଇଣ୍ଟରଷ୍ଟେଲାର। ଯାହାର ଅର୍ଥ ଏହି ଧୂମକେତୁଟି ମହାଜଗତରୁ ଆସିଥିବା ପିଣ୍ଡ। 3 ମାନେ ଏହି ମହାଜାଗତିକ ପିଣ୍ଡ ପୃଥିବୀକୁ ୩ ଥର ଆସିଲାଣି। ପୂର୍ବରୁ ୨୦୧୯ ଓ ୨୦୨୩ରେ ପୃଥିବୀ ଆଡ଼କୁ ଆସିଥିଲା ୨ଟି ମହାଜାଗତିକ ପିଣ୍ଡ। ବିଶେଷଜ୍ଞ କହିଛନ୍ତି, ଏହି ମହାଜାଗତିକ ପିଣ୍ଡଟି ଅନ୍ଯ ଗ୍ରହ ତାରା ମଣ୍ଡଳରୁ ଛିଟିକି ଆସିଛି।
ଗବେଷଣାରୁ ଜଣାପଡ଼ିଛି, ଧୂମକେତୁର ମୁହଁରେ କେତେଗୁଡ଼ିଏ ଉଜ୍ବଳ ତାରକା ପିଣ୍ଡ ରହିଛି। ଯାହା ଯୋଗୁ ଯେତେବେଳେ ସେ ପୃଥିବୀର ଅକ୍ଷାଂଶ ନିକଟବର୍ତ୍ତୀ ହେଉଛି, ତାହା ଉଜ୍ବଳ ଆଲୋକରେ ଝଲସୁଛି। ଏହାର ଲମ୍ବ ୪ କିଲୋମିଟର ଏବଂ ଓସାର ଅଧ କିଲୋମିଟର ପର୍ଯ୍ଯନ୍ତ ରହିଛି। କେତେକ ବୈଜ୍ଞାନିକଙ୍କ କହିବା କଥା, ଆମେରିକାର ମ୍ଯାନହଟ୍ଟନ ସହରର ଆୟତନ ଯେତିକ ସେତିକି ବଡ଼ ଏହି ଧୂମକେତୁର ଆକାର। ପୂର୍ବରୁ ଆଉ ଏକ ଧୂମକେତୁ ପୃଥିବୀ ଆଡ଼କୁ ଆସିଥିଲା। ଯାହାର ଓସାର ଥିଲା ୩.୮ କିଲୋମିଟର। କିନ୍ତୁ ସୂର୍ଯ୍ଯଙ୍କ ନିକଟବର୍ତ୍ତୀ ହେବା ମାତ୍ରେ ଧୂମକେତୁଟି ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। କିନ୍ତୁ ଏହି ମହାଜାଗତିକ ପିଣ୍ଡଟି ଅତି ବିଚିତ୍ର। ସୂର୍ଯଙ୍କୁ ୨୦ ଦିନ ତଳେ ଅତିକ୍ରମ କରିସାରିଥିଲେ ବି ଏହି ଧୂମକେତୁର କିଛି ନଷ୍ଟ ହୋଇନି। ଯାହା ବୈଜ୍ଞାନିକ ଓ ଭୂତତ୍ତ୍ବବିତଙ୍କୁ ଚକିତ କଲାଣି। ତାହେଲେ ଏ ଧୂମକେତୁ କଣ ବାସ୍ତବରେ ପୃଥିବୀକୁ ଧକ୍କା ଦେବ ? ତା ହେଲେ କଣ ହେବ ପୃଥିବୀର ଅବସ୍ଥା ? ଯଦି ପ୍ରଚଣ୍ଡ ରୌଦ୍ରତାପ ଯାହାର କିଛି କରିପାରିନି, ମଣିଷ ତାକୁ କିପରି ଅଟକାଇବ? ବିଶ୍ବର ବୈଜ୍ଞାନିକ ମହାକାଶ ବିଜ୍ଞାନୀ ଏବେ 3i ATLAS ପଛରେ। ଏତେବଡ଼ ଧୂମକେତୁ ପ୍ରବଳ ବେଗରେ ମାଡ଼ିଆସୁଥିବାରୁ କେମିତି ପୃଥିବୀଙ୍କୁ ବଞ୍ଚାଇବାକୁ ପଡ଼ିବ ସେ ନେଇ ଜାରି ରହିଛି ପ୍ରୟାସ। ବୈଜ୍ଞାନିକଙ୍କ ଆକଳନ ପୃଥିବୀ ଆଡ଼କୁ ଆସୁଥିବା ଧୂମକେତୁଟି ପୃଥିବୀ କକ୍ଷ ଦେଇ ଅତିକ୍ରମ କଲାବେଳକୁ ୨୭ କୋଟି କିଲୋମିଟର ଦୂରରେ ରହିବ। ସୂର୍ଯ୍ଯଠାରୁ ରହିବ ୩୦ କୋଟି କିଲୋମିଟର ଦୂରରେ। କୌଣସ ଗ୍ରହ ସହ ମାଡ଼ ନହୋଇ ଧୂମକେତୁଟି ସାମାନ୍ଯତମ ସୂର୍ଯ୍ଯଙ୍କ ଆଡ଼କୁ ଢଳେଇ ଚାଲିଯିବ।
ମହାକାଶ ବିଜ୍ଞାନୀଙ୍କ ମତରେ, ଆଗରୁ ବି ପୃଥିବୀକୁ ଅନେକ ଗ୍ରହାଣୁ ଓ ଧୂମକେକୁ ମାଡ଼ି ଆସିଛି। ତଥାକଥିତ ପ୍ଲୁଟୋ ଗ୍ରହ ଦୂରତାରେ ଥିବା ବରଫ ଓ ଧୂଳିକଣା ମହାଜାଗତିକ ପିଣ୍ଡରେ ପରିଣତ ହୋଇ ସୂର୍ଯ୍ଯଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି। ତେବେ ଆସନ୍ତା ୧୦୦ ବର୍ଷ ଭିତରେ ପୃଥିବୀକୁ ଧୂମକେତୁ ମାଡ଼ ହେବାର ସମ୍ଭାବନା ନଥିବା କହିଛନ୍ତି ବିଶେଷଜ୍ଞ।

