ଘର ଉପରେ ଚଢୁଛି ବୁଲଡୋଜର, ବସ୍ତି ବାସିନ୍ଦା ଆଖିରୁ ଝରୁଛି ଲୁହ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସାଲିଆସାହିରେ ଚାଲିଛି ଉଚ୍ଛେଦ । କଡ଼ା ସୁରକ୍ଷା ଭିତରେ ଚାଲିଛି ଜବରଦଖଲ ଉଚ୍ଛେଦ । ବୁଲଡୋଜର ଚଢାଇ ଭଙ୍ଗା ଯାଉଛି ବସ୍ତି ବାସିନ୍ଦାଙ୍କ ଘର । ତେବେ ଶୀତ ଦିନେ ବିନା ଥଇଥାନରେ ଏପରି ଉଚ୍ଛେଦକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଆଜି ଭୋରୁ ସାଲିଆସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ସାମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଆଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଘଟଣା ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଘର ଭାଙ୍ଗି ଚାଲିଛି ବୁଲଡୋଜର । ଆଖି ଆଗରେ ମାଟିରେ ମିଶୁଛି ସେଠାରେ ରହୁଥିବା ଲୋକଙ୍କ ଘର ।
ତେବେ ଶୀତଦିନେ ଏପରି ଉଚ୍ଛେଦକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଲୋକଙ୍କୁ ଥଇଥାନ କରା ନଯାଇ ଏପରି ଉଚ୍ଛେଦକୁ ନାପସନ୍ଦ କରିଛନ୍ତି ଲୋକେ । ବର୍ତ୍ତମାନ ସାରା ରାଜ୍ୟ ଜାଡ଼ରେ ଥରୁଥିବା ବେଳେ ଏବେ ପିଲା, ଛୁଆ ନେଇ କୁଆଡ଼େ ଯିବେ, କେଉଁଠି ରହିବେ ସେହି ଚିନ୍ତା ଲୋକଙ୍କୁ ଘାରିଛି । ଏପରିକି କିଛି ଲୋକ ଘର ଭାଙ୍ଗା ଦେଖି ଭୋ ଭୋ ହୋଇ କାନ୍ଦୁଥିବା ବି ନଜରକୁ ଆସିଛି ।

