ନବରଙ୍ଗପୁର : ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ତିନୋଟି ପାହାଡ ଚଢିଲେ ବିଡ଼ିଓ । ଏଭଳି ନିଆରା କାର୍ଯ୍ୟ ପାଇଁ ଆଜି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ସରକାର ନୂତନ ଯୋଜନା ପ୍ରଣୟନ କରନ୍ତି । କିନ୍ତୁ ସେହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ତାର ସଫଳ ରୂପାୟନ କରିବାରେ ସରକାରୀ ଅଧିକାରୀଙ୍କ ମୁଖ୍ୟ ଭୂମିକା ରହିଥାଏ । ଏହି ଦାୟିତ୍ବକୁ ସୂଚାରୁରୂପେ ତୁଳାଇଛନ୍ତି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଦଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଫୁଟଘର ଗାଁରେ ୭ଟି ପରିବାର ବସବାସ କରନ୍ତି । ଏଠାକାର ବାସିନ୍ଦାଙ୍କୁ ତିନୋଟି ପାହାଡ଼ ଚଢି ଗାଁରେ ପହଞ୍ଚିବାକୁ ହୋଇଥାଏ । ତେବ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିବାର ଅଳ୍ପ ଦିନ ପରେ ହିଁ ଫୁଟଘର ଗାଁରେ ପହଞ୍ଚିଥିଲେ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ପାଳନ କରିଥିଲେ । ତେବେ ଆଉ କିଛି ସମସ୍ୟା ରହିଛି କି ନାହିଁ ତାହା ଜାଣିବା ପାଇଁ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗାଁରେ ପହଞ୍ଚିଥିଲେ । ବିଡ଼ିଓଙ୍କ ଏଭଳି ନିସ୍ବାର୍ଥପର ମନୋଭାବକୁ ସବୁଠି ପ୍ରଶାଂସା କରାଯାଇଛି ।

