ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୩୦ ରନରେ ପରାସ୍ତ ହେବା ପରେ ଏବେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ର ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନକୁ ଖସିଆସିଛି ଟିମ୍ ଇଣ୍ଡିଆ । ଏଭଳି ସ୍ଥିତିରେ ଭାରତ WTC ଫାଇନାଲ ଖେଳିବ କି ନା ସେନେଇ ଦ୍ବନ୍ଦ୍ବ ଉପୁଜିଛି । WTCର ଏହି ସାଇକଲରେ ଭାରତ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳିସାରିଛି । ସେଥିମଧ୍ୟରୁ ୪ଟିରେ ଜିତିଥିବା ବେଳେ ୩ଟି ମ୍ୟାଚରେ ପରାଜୟର ସାମନା କରିବାକୁ ପଡ଼ିଛି ଓ ଗୋଟିଏ ଡ୍ର ରହିଛି ।
ଏବେ ଭାରତ ଆଉ ୧୦ଟି ମ୍ୟାଚ ଖେଳିବାକୁ ବାକି ରହିଛି । WTC ସାଇକଲରେ ପ୍ରତି ଟିମକୁ ବିଜୟ ପାଇଁ ୧୨ ଅଙ୍କ, ଡ୍ର ରଖିଲେ ୬ ଅଙ୍କ ଓ ପରାଜୟ ପାଇଁ କୌଣସି ଅଙ୍କ ମିଳିନଥାଏ । ଭାରତ ୮ଟି ମ୍ୟାଚ ଖେଳିବା ସହ ୫୨ ଅଙ୍କ ପାଇଛି । ଦଳର ପଏଣ୍ଟସ ପ୍ରତିଶତ ସିଷ୍ଟମ (PCT) ୫୪.୧୪% ରହିଛି । WTC ସାଇକଲ ଦେଖିଲେ, ଫାଇନାଲ ପାଇଁ ୬୪-୬୮% ପ୍ରତିଶତ PCT ପର୍ଯ୍ୟାପ୍ତ ହୋଇଥାଏ । ଏପରି ସ୍ଥିତିରେ ଭାରତକୁ ଟପ-୨ରେ ସ୍ଥାନ ପକ୍କା କରିବାକୁ ହେଲେ ଏହି ଜୀତ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିବ ।
ଭାରତ ଗୌହାଟୀରେର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟେଷ୍ଟ ଖେଳିବ । ତା’ପରେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବ । ତା’ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ତା’ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଖେଳିବ । ଏହି ସବୁ ମ୍ୟାଚ ପରେ ଭାରତ ଫାଇନାଲ ଖେଳିବ କି ନା ତାହା ସ୍ପଷ୍ଟ ହୋଇଯିବ । ତେବେ ବାକିଥିବା ୧୦ଟି ମ୍ୟାଚରୁ ଭାରତକୁ ଅତିକମରେ ୭ଟି ମ୍ୟାଚ ଜିତିବାକୁ ପଡ଼ିବ । ଏହାଫଳରେ ଭାରତର ଅଙ୍କ ୧୩୬ ହୋଇଯିବ, ଜିତ ପ୍ରତିଶତ ୬୨.୯୬ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ । ସେଥିମଧ୍ୟରେ ଯଦି ଗୋଟିଏ ଡ୍ର ଯୋଡ଼ି ହୋଇଯିବ, ତେବେ ୧୪୦ ଅଙ୍କ ବା (୬୪.୮୧%) ହୋଇଯିବ । ଭାରତ ଯଦି ୮ଟି ବିଜୟ ହାସଲ କରେ ତେବେ ତା’ ଅଙ୍କ ୧୪୮ ସହ PCT ୬୮.୫୨% ହୋଇଯିବ ।
ଯଦି ଭାରତ ପରବର୍ତ୍ତୀ ମ୍ୟାଚ ଜିତିଯାଏ, ପୁଣି ଶ୍ରୀଲଙ୍କାକୁ ୨-୦ରେ ହରାଇଦିଏ, ନ୍ୟୁଜିଲାଣ୍ଡକୁ ୧-୧ରେ ଡ୍ର କରେ, ଅଷ୍ଟ୍ରେଲିଆା ବିପକ୍ଷରେ ଅତିକମରେ ୩ଟି ଜିତେ, ତେବେ ୭-୮ ସମ୍ଭବ ହୋଇପାରିବ । ମାତ୍ର ଏକ୍ଷେତ୍ରରେ ଅଧିକ ପରାଜୟ ଓ ଡ୍ର ଟିମ୍ ଇଣ୍ଡିଆର ବିପଦ ବଢ଼ାଇପାରେ ।

