ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜରେ ପରିତ୍ୟକ୍ତ ଅବସ୍ଥାରେ ଆବାସିକ ଛାତ୍ରବାସ । ଭଙ୍ଗାଦଦରା ଘର ସାଙ୍ଗକୁ ଛିଣ୍ଡା ବେଡରେ ବିତୁଛି ଅନ୍ତେବାସୀଙ୍କ ଜୀବନ । ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ମୁନାଫାଖୋର ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ବଳି ପଡୁଛନ୍ତି ଶତାଧିକ ପିଲା । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ।
ବିପଦରେ ଅନ୍ତେବାସୀ । ଭଙ୍ଗାଛାତ ତଳେ ବିତୁଛି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଜୀବନ । ସାନିଟାଇଜେସନ ତ ଦୂରର କଥା ଛାତ୍ରୀ ନିବାସରେ ନାହିଁ ବାଥରୁମ୍ । ମୟୂରଭଞ୍ଜ ଜିଲ୍ଲାରେ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରହଣି ପାଇଁ ୫୭୬ଟି ଆବାସିକ ଛାତ୍ରବାସ, ଛାତ୍ରୀନିବାସ ଓ ପିଏସଏଚ ରହିଛି । ସେଥିରେ ହଜାର ହଜାର ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି । ସେମାନଙ୍କ ସମସ୍ତ ଖର୍ଚ୍ଚ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ବହନ କରାଯାଉଛି । ହେଲେ ତାହା ହଷ୍ଟେଲ ପାଚେରୀରେ ଲାଗିଥିବା ନାମଫଳକରେ ହିଁ ସୀମିତ ରହିଯାଇଛି । ହଷ୍ଟେଲରେ ପିଲା ଛିଣ୍ଡା ବେଡରେ ଶୋଉଛନ୍ତି । ଅଧିକାଂଶ ଛାତ୍ରାବାସରେ ପିଲା ତରକାରୀ ନପାଇ ଶୁଖିଲା ଭାତ ଖାଇ ଦିନ କାଟୁଛନ୍ତି ।
ଅନ୍ତେବାସୀ ପଢୁଥିବା ଅନେକ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବା ବେଳେ ଶିକ୍ଷକ ପଦବୀ ଖାଲି ପଡିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଛାତ୍ରାବାସରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ସଠିକ ଭାବେ ରେକର୍ଡ କରାଯାଉନି । ଉପସ୍ଥାନ ଖାତାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବା ରେକର୍ଡ କରାଯାଉଛି । ହେଲେ ଅନେକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁନାହାନ୍ତି । ଯାହା ସ୍ପଷ୍ଟ ପ୍ରମାଣ କରୁଛି ଅର୍ଥଲୋଭୀ ଶିକ୍ଷକ, ଦୁର୍ନିତିଗ୍ରସ୍ତ ଅଧିକାରୀ ଖୁଲମଖୁଲା ପିଲାମାନଙ୍କ ଅର୍ଥ ବାଟମାରଣା କରୁଛନ୍ତି ।
ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କାରଣରୁ ହୀନସ୍ତା ଭୋଗୁଛନ୍ତି ଅନ୍ତେବାସୀ । ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

