spot_img

Latest Posts

୨୩ଟି ତୀର୍ଥସ୍ଥଳୀ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୨୩ଟି ବିଭିନ୍ନ ମନ୍ଦିର ଓ ତୀର୍ଥସ୍ଥଳୀ ପାଇଁ ମୁଖ୍ୟମନ୍ତ୍ରୀ ୨୩ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ସରକାର ଏହି ପାଣ୍ଠି ସ୍ୱତନ୍ତ୍ର ସମସ୍ୟା ଫଣ୍ଡରୁ ଯୋଗାଇ ଦେବେ । ଏଥିରେ ୧୦ଟି ମନ୍ଦିର, ୫ଟି ଚର୍ଚ୍ଚ, ୬ଟି ମସଜିଦ୍‌ ଏବଂ ୨ ଗୁରୁଦ୍ଵାର ସାମିଲ ଅଛି । ଏହି ସବୁ ଧାର୍ମିକସ୍ଥଳୀକୁ କୋଟିଏ ଲେଖାଏଁ ଟଙ୍କା ମିଳିବ । ବରଗଡ଼ର ଶ୍ରୀ ନୃସିଂହନାଥ, ଭଦ୍ରକ ମା ଭଦ୍ରକାଳୀ, ବଲାଙ୍ଗିର ହରିଶଙ୍କର, ବୌଦ୍ଧ ଜଗନ୍ନାଥ, ଢେଙ୍କାନାଳ କପିଳାସର ଶ୍ରୀ ଚନ୍ଦ୍ରଶେଖର, ଜଗତସିଂହପୁରର ମା ଶାରଳା, ଯାଜପୁରର ମା ବିରଜା, କେନ୍ଦୁଝରର ପ୍ରଭୁ ବଳଦେବ ଜିଉ, କୋରାପୁଟର ଗୁପ୍ତେଶ୍ୱର ଏବଂ ନବରଙ୍ଗପୁରର ନୀଳକଣ୍ଠ ମନ୍ଦିରର ବିକାଶ ପାଇଁ କୋଟିଏ ଲେଖାଏଁ ଟଙ୍କା ମିଳିବ ।

ସେହିପରି ବଲାଙ୍ଗିରର ସିଏନଆଇ ଚର୍ଚ୍ଚ, ଖୋର୍ଦ୍ଧାର ବାପିଷ୍ଟ ଚର୍ଚ୍ଚ, କଟକର ମାଉଣ୍ଟ ହାଉସ, କଳାହାଣ୍ଡିର ସେଣ୍ଟ ପଲ୍‌ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଓ ଭୁବନେଶ୍ୱରର ଖ୍ରୀଷ୍ଟ ଚର୍ଚ୍ଚକୁ ମିଳିବ କୋଟିଏ ଲେଖାଏଁ ଟଙ୍କା । ଏହାସହ ପୁରୀର ଜାହାଁନିଆ ପୀର, ସୋନପୁରର ହାଜିର ଅବଦ୍ଦୁଲ ସାକୁର ବାବା ତରଭା ସରିଫ, ଭଦ୍ରକର ଦରଘା-ଇ-ହୁଜୁର ମୁଜାହିଦ-ଇ-ମିଲାତ, ବାଲେଶ୍ୱରର ଭୁଜାଖିଆ ପୀର, ଭୁବନେଶ୍ୱରର ଜମା ମସ୍‌ଜିଦ୍‌ ଓ ଖୋର୍ଦ୍ଧାର ପୀର ବାବା ପୀଠକୁ ମଧ୍ୟ କୋଟିଏ ଲେଖାଏଁ ଅର୍ଥ ଦିଆଯିବ ବୋଲି ଘୋଷଣା ହୋଇଛି । ଅନ୍ୟପଟେ ରାଜ୍ୟର ଦୁଇଟି ଗୁରୁଦ୍ଵାର ପାଇଁ ଦୁଇ କୋଟି ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଗୁଡିକ ହେଲା ସୁନ୍ଦରଗଡ଼ର ଗୁରୁସିଂହ ସାହେବ ଓ ପୁରୀର ବଉଳି ମଠ ।

Latest Posts

Don't Miss