ବିଜେଡି ସ୍ବର ଚାପି ଦେବାକୁ ଉଦ୍ୟମ: ମହିଳା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାକୁ ନବୀନଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ମହିଳା ହିଂସା ନେଇ ବିଜେଡି ସ୍ବର ଉଠାଉଥିଲା । ଏବେ ବିଜେଡିର ସ୍ବର ଚାପିବାକୁ ଆରମ୍ଭ ହୋଇଯାଇଛି ଉଦ୍ୟମ । ବିଜେଡିର ସୋସିଆଲ ମିଡ଼ିଆର ସକ୍ରିୟ କର୍ମୀ ରଶ୍ମି ପରିଜାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରନ୍ତି । ଗତ ରାତିରେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ହୋଇଛି । ତାଙ୍କ ମୁଣ୍ଡରେ ୯ଟି ଷ୍ଟିଚ ପଡିଛି । ଏ ସରକାର ସୁଭଦ୍ରା ଓ ନାରୀ କଥା କହୁଛି । ହେଲେ ଏବେ ଏ ଅପାରଗ ସରକାର ସମାଲୋଚନା ନସହି ପାରି ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେଡି । ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ମହିଳାଙ୍କ ଉପରେ ବଢ଼ୁଥିବା ହିଂସା ଘଟଣା କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।
ଦୀପାବଳିରେ ଜୀବନ ଲିଭାଇବାକୁ ଚେଷ୍ଟା କରୁଛି ବିଜେପି । ଏକଛତ୍ରବାଦ ଶାସନ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ରଶ୍ମିଙ୍କ ନାଁରେ ମିଛ FIR ଦେଇ ନପାରିବାରୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି । ଆଜି ମହିଳା ଅସୁରକ୍ଷିତ । ସୁରକ୍ଷା ଦେବା ଦାୟିତ୍ୱ ସରକାରଙ୍କ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ହେଲେ ଅପରାଧୀ ଡରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି । ଆଇଆଇସି ପ୍ରଥମେ FIR ରଖୁ ନାହାନ୍ତି । ଶାସକ ଦଳର ଜଣେ ବିଧାୟକଙ୍କ ଲୋକ ଏହି କାମ କରିଥିବା ଅଭିଯୋଗ ହୋଇଛି । ଫଳରେ କାହାରିକୁ ଘଟଣାରେ ଗିରଫ ନକରି ପୋଲିସ ଚୁପ ହୋଇ ବସିଛି । ଅଭିଯୋଗ କରିବାକୁ ଗଲେ ବୁଝାସୁଝା କରି ପଠାଇ ଦିଆଯାଉଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷରେ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମହିଳାଙ୍କ ଉପରେ ବଢ଼ୁଥିବା ହିଂସା ଘଟଣା କଦାପି ଗ୍ରହଣୀୟ ନୁହେଁ । ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି । ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି । ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।