ବିହାର ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ଦ୍ବିତୀୟ ଲିଷ୍ଟ, ମୈଥିଲୀ ଠାକୁରଙ୍କୁ ମିଳିଲା ଟିକେଟ

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ଦ୍ବିତୀୟ ଲିଷ୍ଟ ଜାରି କରିଛି । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଭୋଜପୁରୀ ଗାୟିକା ମୈଥିଲୀ ଠାକୁରଙ୍କୁ ଟିକେଟ ମିଳିଛି । ମୈଥିଲୀ ଅଲୀନଗର ଆସନରୁ ନିର୍ବାଚନ ଲଢ଼ିବେ । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ଗତକାଲି ଏନଡିଏ ମେଣ୍ଟ ପକ୍ଷରୁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ପ୍ରଥମ ସୂଚୀରେ ଦଳ ଅଧିକାଂଶ ବିଧାୟକ ଓ ମନ୍ତ୍ରୀଙ୍କ ଉପରେ ଭରସା କରିଥିଲା । କୁହ୍ମରାରରୁ ଅରୁଣ ସିହ୍ନା ଓ ପାଟନା ସାହିବରୁ ନନ୍ଦକିଶୋର ଯାଦବଙ୍କ ଟିକେଟ କଟିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୯ ବିଧାୟକଙ୍କୁ ଟିକେଟ୍ ଦେଇନଥିଲା । ପ୍ରଥମ ତାଲିକାରେ ଦଳ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର, ମଙ୍ଗଳ ପାଣ୍ଡେଙ୍କୁ ସିବାନ, ସଞ୍ଜୀବ ଚୌରସିଆଙ୍କୁ ଦୀଘା ଓ ରଜନିଶ କୁମାରଙ୍କୁ ତୋଘଡାରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା । ଉକ୍ତ ୭୧ ଜଣ ପ୍ରାର୍ଥୀଙ୍କ ତାଲିକାରେ ୯ ଜଣ ମହିଳା ଓ ୫ ଜଣ ଅନୁସୂଚିତ ଜାତି ଓ ଜଣେ ଅନୁସୂଚିତ ଜନଜାତି ନେତାଙ୍କ ନାଁ ଘୋଷଣା କରାଯାଇଥିଲା ।