ଦୁଇ ବର୍ଷରେ ୬ ମୁସଲିମ ଦେଶଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଇସ୍ରାଏଲ
1 min read
ନନ୍ଦିଘୋଷ ବ୍ୟୁରୋ: ଦୁଇ ବର୍ଷର ଭୟଙ୍କର ଯୁଦ୍ଧ ପରେ ଏବେ ଗାଜାରେ ଶନ୍ତି ଫେରିବାର ସମ୍ଭାବନା ଦେଖା ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଙ୍କଙ୍କ ୨୦ ପଏଣ୍ଟ ଶାନ୍ତି ପ୍ଲାନର ପ୍ରଥମ ପର୍ଯ୍ୟାୟକୁ ଇସ୍ରାଏଲ ଓ ହମାସ ମାନି ନେଇଛନ୍ତି । ବୁଝାମଣା ଅନୁସାରେ ହମାସ ୨୯ ଇସ୍ରାଏଲ ବନ୍ଧକଙ୍କୁ ଛାଡିଥିବା ବେଳେ ଇସ୍ରାଏଲ ୨୫୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିଛି । ହେଲେ ଏହି ଦୁଇ ବର୍ଷ ଯୁଦ୍ଧ ମଧ୍ୟରେ ଇସ୍ରାଏଲ କେବଳ ଗାଜା କି ହମାସ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସିମିତ ନଥିଲା । ଏହି ସମୟ ମଧ୍ୟରେ ଇସ୍ରାଏଲ ନିଜର ୬ ପୁରୁଣା ଶତ୍ରୁଙ୍କ ଉପରେ ଭୟଙ୍କର ଆକ୍ରମଣ କରି ସେମାନଙ୍କୁ ଛାରଖାର କରିଦେଇଛି । ଲେବାନନ, ୟମନ, ଇରାନ, ସିରିଆ, କତର ଓ ଟ୍ୟୁନିସିଆରେ ଇସ୍ରାଏଲ ମୃତ୍ୟୁର ତାଣ୍ଡବ ରଚିବା ସହ ଶତ୍ରୁଙ୍କ ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ଦେଇଛି । ଆସନ୍ତୁ ଜାଣିବା ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲ ଏହି ଦେଶମାନଙ୍କ ଉପରେ ଆକ୍ରମଣ କରି କେଇଁ ପ୍ରକାର କ୍ଷତି କରିଛି ।
ଲେବାନନରେ ହିଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିଗଲା
ହମାସ ସମର୍ଥନରେ ହିଜିବୁଲ୍ଲା ଉତ୍ତର ଇସ୍ରାଏଲରେ ରକେଟ ବର୍ଷା କରିବା ଆରମ୍ଭ କରିଦେଇଥିଲା । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଏହି ଟିଟ୍-ଫର୍-ଟେଟ୍ ଯୁଦ୍ଧ ଚାଲିଥିଲା । ହେଲେ ୨୦୨୪ ସେପ୍ଟେମ୍ବରରେ ଇସ୍ରାଏଲ ଆର୍ମୀ ହଠାତ ଦକ୍ଷିଣ ଲେବାନନ ଉପରେ ସ୍ଥଳପଥରେ ଆକ୍ରମଣ କରିଥିଲେ । ମାତ୍ର କିଛିଦିନରେ ଇସ୍ରାଏଲ ୯୦୦ରୁ ଅଧିକ ମାଜାଇଲ ଫାୟାର କରିଥିଲା । ସେପ୍ଟେମ୍ବର ୧୮ରେ ହିଜବୁଲ୍ଲା ନେତାଙ୍କ ପେଜର ଓ ଓ୍ବାକିଟକିରେ ଏକା ସାଙ୍ଗରେ ହୋଇଥିବା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହର ମୃତ୍ୟୁ ଘଟିଥିଲା । ୨୦୨୪ ନଭେମ୍ବରରେ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ଏବେ ବି ଇସ୍ରାଏଲ ଦକ୍ଷିଣ ଲେବାନନରେ ୫ଟି ବର୍ଡର ପୋଷ୍ଟକୁ ଅକ୍ତିଆର କରି ରଖିବା ସହ ସମୟେ ସମୟେ ଏୟାର ଷ୍ଟ୍ରାଇକ ଚଲାଇଛି ।
ୟମନରେ ହୁତି ବିଦ୍ରୋହିଙ୍କ ବିରୋଧରେ ଅପରେସନ ଲକି ଡ୍ରପ୍
୨୦୨୩ ଅକ୍ଟୋବରରେ ହୁତି ବିଦ୍ରୋହି ଗାଜା ସମର୍ଥନରେ ଇସ୍ରାଏଲ ଉପରେ ମିଜାଇଲ ଓ ଡ୍ରୋନ ଆକ୍ରମଣ କରୁଥିଲେ । ମେ’ ୨୦୨୫ ମଧ୍ୟରେ ହୁତି, ଇସ୍ରାଏଲ ଉପରେ ପ୍ରାୟ ୨୫୦ ଆକ୍ରମଣ କରିଥିଲା । ଏହାର ଜବାବରେ ଇସ୍ରାଏଲ ୨୦୨୫ ଅଗଷ୍ଟ ୨୮ରେ ଆପରେସନ ଲକି ଡ୍ରପ୍ ଜରିଆରେ ସନାରେ ଚାଲିଥିବା ହୁତିର ଏକ ଉଚ୍ଚସ୍ତରୀୟ ମିଟିଂ ଉପରେ ଆକ୍ରମଣ କରିଥିଲା । ଏଥିରେ ହୁତି ପ୍ରଧାନମନ୍ତ୍ରୀ ଅହମଦ ଅଲ ରହାଓ୍ବି ସମେତ ଏକାଧିକ ବଡ଼ ବଡ଼ ନେତାଙ୍କ ମୃତ୍ୟୁ ଘଟିଥିଲା । ଲାଲ ସାଗରେ ନିଜ ସୈନ୍ୟ ଉପସ୍ଥିତି ବଢ଼ାଇବା ସହ ଇସ୍ରାଏଲ ୨୦୨୫ ଜୁନ ୧୦ରେ ଅଲ ହୂଦାୟଦାହ ପୋର୍ଟ ଉପରେ ଆପ୍ରକଣ କରିଥିଲା । ଗତମାସ ୧୦ ତାରିଖରେ ପୁଣି ଥରେ ସନା ଓ ଅଲ ଜୌଫରେ ବିମୋ ମାଡ଼ କରି ୨୦ରୁ ଅଧିକ ହୁତି ଠିକଣାକୁ ଉଡାଇ ଦେଇଥିଲା ।
ଇରାନରେ ଅପରେସନ ରାଇଜିଙ୍ଗ ଲାୟନ, ଦୋହଲି ଗଲା ତେହରାନ
ବର୍ଷ ବର୍ଷ ଧରି ଇସ୍ରାଏଲ ଓ ଇରାନ ମଧ୍ୟରେ ପରଦା ପଛରେ ଯୁଦ୍ଧ ଚାଲିଛି । ହେଲେ ୨୦୨୫ ଜୁନ ୧୩ରେ ଇସ୍ରାଏଲ ୨୦୦ରୁ ଅଧିକ ଫାଇଟର ଜେଟ ସହ ଆକ୍ରମଣ କରି ଅପରେସନ ରାଇଜିଙ୍ଗ ଲାୟନ ଆରମ୍ଭ କରିଥିଲା । ଇରାନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହଙ୍କ ଦାବି ଅନୁସାରେ, ଇରାନ ପରମାଣୁ ବୋମା ପ୍ରସ୍ତୁତିର ବହୁତ ନିକଟରେ ପହଞ୍ଚି ଯାଇଥିଲା । ୧୨ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧରେ ଇରାନର ୬୨୭ ଓ ଈସ୍ରାଏଲର ୨୮ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଜୁନ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅସ୍ତ୍ରବିରତି ଘୋଷଣା କରିଥିଲେ । ହେଲେ ଇସ୍ରାଏଲ ଇରାନର ଏକାଧିକ ପରମାଣୁ ବିଜ୍ଞାନୀଙ୍କୁ ହତ୍ୟା କରିବା ସହ ସୈନ୍ୟ କେନ୍ଦ୍ରଗୁଡିକୁ ଧ୍ବଂସ କରି ଦେଇଥିଲା ।
ସିରିଆରେ ଅସଦ ଶାସନର ଅନ୍ତ
୨୦୨୪ ଡିସେମ୍ବରରେ ବଶର ଅଲ ଅସଦ ସରକାରର ପତନ ପରେ ସିରିଆରେ ଅରାଜକତା ସୃଷ୍ଟି ହୋଇଥିଲା । ଇସ୍ରାଏଲ ମାତ୍ର ୪୮ ଘଣ୍ଟାରେ ଶତାଧିକ ଏୟାର ଷ୍ଟ୍ରାଇକ କରି ଅସଦ ଶାସନର ୭୦ ପ୍ରତିଶତ ସୈନ୍ୟ କ୍ଷମତାକୁ ନଷ୍ଟ କରିଦେଇଥିଲା । ଉଦ୍ଦେଶ୍ୟ ଥିଲା ସିରିଆର ଅସ୍ତ୍ରଶସ୍ତ୍ର ଯେମିତି ଆତଙ୍କବାଦୀ ସଙ୍ଗଠନ HTS ହାତରେ ନପଡ଼ିବ । ୨୦୨୫ ଡିସେମ୍ବର ୮ରେ ହୋଇଥିବା ଆକ୍ରମଣରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଇସ୍ରାଏଲ ଅଭିଯୋଗ କରିଥିଲା ସିରିଆ ଇରାନ ଆର୍ମୀକୁ ଅସ୍ତ୍ରଶସ୍ତ୍ର ପଠାଉଥିଲା । ଏହାପରେ ଇସ୍ରାଏଲ ଗୋଲନ ହାଇଟ୍ସର ଡେମିଲିଟ୍ରାଇଜଡ୍ ଜୋନକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା । ଯାହାକୁ ୧୯୪୭ ବୁଝାମଣାର ଉଲ୍ଲଂଘନ ବୋଲି କୁହାଯାଉଛି ।
କତରର ଦୋହାରେ ଆକ୍ରମଣ
୨୦୨୫ ସେପ୍ଟେମ୍ବର ୯ ତାରିଖରେ ଇସ୍ରାଏଲ ଦୋହାରେ ଥିବା ହମାସ ନେତାଙ୍କ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ହମାସ ନେତା ଗାଜା ଅସ୍ତ୍ରବିରତକୁ ନେଇ ଆଲୋଚନା କରିବାକୁ ସେଠାରେ ଏକାଠି ହୋଇଥିଲେ । ଇସ୍ରାଏଲ F-16 ଓ F-35 ଫାଇଟର ଜେଟରୁ ୧୦ରୁ ଅଧିକ ମିଜାଇଲ ମାଡ କରିଥିଲା । ଆକ୍ରମଣରେ ୫ ହମାସ ସଦସ୍ୟ ଓ ଜଣେ କତର ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ବ୍ରିଟେନ, ଜର୍ମାନ, ସାଉଦୀ ଆରବ, ମିସ୍ର ଓ କାନାଡା ସମେତ ଏକାଧିକ ଦେଶ ନିନ୍ଦା କରିଥିଲେ । ୟୁରୋପିୟ ୟୁନିୟନ ଏହାକୁ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କହିଥିଲା ।
ସାହାଯ୍ୟ ନାଁରେ ଟ୍ୟୁନିସିଆ ଉପରେ ଆକ୍ରମଣ
ସେପ୍ଟେମ୍ବର ୮ ତାରିଖ ରାତିରେ ଇସ୍ରାଏଲ ଟ୍ୟୁନିସିଆର ଏକ ପୋର୍ଟ ଉପରେ ଡ୍ରୋନ ଷ୍ଟ୍ରାଇକ୍ କରିଥିଲା । ଲକ୍ଷ୍ୟ ଥିଲା ଏକ ଫ୍ୟାମିଲ ବୋଟ ଯାହା ପର୍ତ୍ତୁଗାଲ ପତାକା ଲଗାଇ ଗାଜାକୁ ରିଲିଫ ସାମଗ୍ରୀ ନେଇ ଯାଉଥିଲା । ଇସ୍ରାଏ ଦାବି କରିଥିଲା ଏହି ଜାହାଜରେ ହମାସ ପାଖକୁ ଅସ୍ତ୍ରଶସ୍ତ ଓ ଲଜିଷ୍ଟିକ ସାମଗ୍ରୀ ପଠାଯାଉଥିଲା । ଏହାର ପରଦିନ ଇସ୍ରାଏଲ ପକ୍ଷରୁ ପୁଣି ଆକ୍ରମଣ ହୋଇଥିଲା । ଏଥିରେ ବହୁତ ଲୋକଙ୍କ ମୃତ୍ୟୁ ଘଟିଥିଲା ।