ଗୋଟିଏ ଘରେ ପାଠ ପଢୁଛନ୍ତି ୬୮ ପିଲା: ଖୋଦ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଚାଲିଛି….

ଗୋଟିଏ ଘରେ ପାଠ ପଢୁଛନ୍ତି ୬୮ ପିଲା । ତାହା ପୁଣି ବନସୁରକ୍ଷା ସମିତି ଘର । ଖୋଦ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଚାଲିଛି ପାଠପଢା । ନିଘୋଡ ନିଦ୍ରାରେ ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କେନ୍ଧୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବର୍ତ୍ତମାନ ନିଜସ୍ଵ ଶ୍ରେଣୀ ଗୃହ ନାହିଁ । ପୁରାତନ ଶ୍ରେଣୀ ଗୃହ ଭଙ୍ଗା ଯିବା ପରେ ବନବିଭାଗର ଏକ କୋଠରୀରେ ୬୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗୋଟିଏ ଶ୍ରେଣୀ ଗୃହରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା ହେଉଥିବାରୁ ପିଲା ସଠିକ ଭାବେ ପଢିପାରୁନାହାନ୍ତି । ସେପଟେ ଠିକାଦାରଙ୍କ ଅବହେଳାରୁ ନୂତନ ଶ୍ରେଣୀ ଗୃହ ଅଧପନ୍ତରିଆ ଭାବେ ପଡିରହିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

କେନ୍ଧୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରାତନ ଶ୍ରେଣୀଗୃହ ବିପଦଶଙ୍କୁଳ ଅବସ୍ଥାରେ ଥିବା କାରଣରୁ ତାକୁ ଭାଙ୍ଗି ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ସରକାରଙ୍କ ଠାରୁ କାର୍ଯ୍ୟାଦେଶ ମିଳିଥିଲା । କାମ ବି ଆରମ୍ଭ ହୋଇଥିଲା । ହେଲେ ଠିକାଦାର ଓ ପ୍ରଶାସନର ଅବହେଳା କାରଣରୁ ନୂତନ ଶ୍ରେଣୀ ଗୃହ ଅଧପନ୍ତରିଆ ଭାବେ ପଡିରହିଛି । ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନ ସବୁ ଜାଣି ଚୁପ ଥିବା ଅଭିଯୋଗ ହୋଇଛି । ଏପଟେ ବନବିଭାଗର ବନ ସୁରକ୍ଷା ସମିତି ଘର ଖାଲି କରିବାକୁ କହିଲେଣି । ତାହାଲେ ପିଲା ପଢିବେ କେଉଁଠି ? ଅନ୍ୟପଟେ ଖୁବଶୀଘ୍ର ବିଦ୍ୟାଳୟ କାମ ସାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଡାବୁଗାଁ ବିଧାୟକ । ନବରଙ୍ଗପୁର ଜିଲ୍ଲା ଭଳି ପଛୁଆ ଜିଲ୍ଲାର ଶିକ୍ଷା ପ୍ରତି ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।