ତାଣ୍ଡବ ରଚିଛି ଲଘୁଚାପ ଜନିତ ଲଗାଣ ବର୍ଷା

1 min read

ନନ୍ଦିଘୋଷ ବ୍ୟୁରୋ ; ଲଘୁଚାପ ଜନିତ ବର୍ଷାରୁ ଗଜପତିରେ ବ୍ୟାପକ କ୍ଷୟକ୍ଷତି। ମୋହନା ବନ୍ଧାଗୁଡ଼ା ଅଂଚଳରେ ପାହାଡ ଧସିଯିବାରୁ ୨ ଜଣ ନିଖୋଜ ହୋଇଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଗୋରୁ ଚରାଇବାକୁ ଯାଇ ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ସେହିପରି  ଅଡବା, ମହେନ୍ଦ୍ରଗଡ଼, ଆର. ଉଦୟଗିରି, ନୂଆଗଡ ଓ ରାମଗିରି ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଘାଟ ଭାଙ୍ଗିବା ସହ କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଛି। ଖଜୁରିପଦା ଠାରୁ ନୂଆଗଡ ରାସ୍ତା ଧୋଇ ହୋଇଯାଇଛି। ଗୁଣପୁର ରାସ୍ତାର ଶିବ ମନ୍ଦିର ନିକଟ ପୋଲର ଆପ୍ରୋଚ ରୋଡ଼ ଓ ରୁବୁଡିସିଂ ଠାରେ ଏକ କଲଭର୍ଟ ଭାସିଯାଇଛି। ଗଜପତି ଜିଲ୍ଲାରେ ବଢୁଛି ମହେନ୍ଦ୍ର ତନୟା ନଦୀ। ବାଗଶାଳା ଗାଁରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଆର ଉଦୟଗିରି ପଟ୍ଟନାୟକ କଲୋନୀରେ ପାଣି ପଶିଯାଇଥିଲା। ଗାଁ ଦାଣ୍ଡରେ ୫ ଫୁଟର ପାଣି ଜମି ରହିଥିଲା। ଭୟରେ ଏକ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଇଥିଲେ ଲୋକେ ।

କଳାହାଣ୍ଡି କର୍ଲାପାଟ ଅଂଚଳରେ ଦୁଇ ଭାଇ ଭବାନୀପାଟଣା ଯାଉଥିବାବେଳେ ସେମେଲ ପଦର ନାଳରେ ଭାସି ଯାଇଥିଲେ। ସକାଳୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ରେସକ୍ୟୁ ଅପରେସନ ଜାରି ରହିଛି।ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଦାରିଙ୍ଗବାଡି ବ୍ଲକରେ ଲଗାଣ ବର୍ଷାରୁ ଗୁମାଡ଼ି ନଦୀର ଜଳସ୍ତର ବଢିଛି। ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ ୩ ପଞ୍ଚାୟତ ତିଲୋରୀ, ବୁଡ଼ାଗୁଡା ଏବଂ ଗୁମିକିଆବାସିନ୍ଦା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ଗଞ୍ଜାମର ଋଷିକୂଲ୍ୟା, ବଡ଼ନଦୀ ଓ ଘୋଡ଼ାହାଡ଼ ନଦୀ। ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳବାସୀ ହନ୍ତସନ୍ତ ହୋଇଛନ୍ତି। ଧରାକୋଟ ଅଂଚଳରେ ଋଷିକୂଲ୍ୟା ପାଣି ଆସି ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି। ବାଲି ମାଡ଼ି ଯାଇ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଶେରଗଡ଼ ବ୍ରହ୍ମାଣଛାୟୀ ଗ୍ରାମର ନଦୀ କୁଳରେ ଥିବା ପରିବା ଫସଲ ନଷ୍ଟ ହୋଇପଡିଛି।

ନୂଆପଡା ଜିଲ୍ଲା ସୁନ୍ଦର ନଦୀରେ ବଢୁଛି ବନ୍ୟାଜଳ। ନଦୀ କୂଳରେ ଥିବା ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ବୋଡ଼େନ ବ୍ଲକ ପଲସଦା ପଞ୍ଚାୟତ ସହ ଖଡିଆଳ ବ୍ଲକର ବିରିଘଟ ତୁକୁଲା ଓ ବଡ଼ ଦୋହେଲ୍ ପଞ୍ଚାୟତରେ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷ ଜମିରେ ଜମି ରହିଛି ୫ରୁ ୬ଫୁଟ ପାଣି। ବର୍ଷା କମିଥିଲେ ବି ଆନ୍ଧ୍ର ଉପର ମୁଣ୍ଡରେ ଲଗାଣ ବର୍ଷା ଯାଗୁଁ କୋରାପୁଟ  ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୨ଟି ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ୨ ଗେଟ ଦେଇ ୧୦ ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଉଛିl। ବାଲେଶ୍ବର ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗାଁରେ ପ୍ରବଳ ବର୍ଷାରୁ ଘର ଭାଙ୍ଗିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।