ଓଡ଼ିଶାରେ ବଡ଼ ସ୍କାଣ୍ଡାଲ ; ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
1 min read
ଭୁବନେଶ୍ବର : ଓଡ଼ିଶାରେ ଏକ ବଡ଼ ସ୍କାଣ୍ଡାଲ ଚାଲିଛି ବୋଲି ସରକାରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ମଧ୍ୟପ୍ରଦେଶର ବ୍ୟାପକ ଦୁର୍ନୀତି ପରି ଓଡ଼ିଶାରେ ମଧ୍ୟ ନିଯୁକ୍ତିରେ ବଡ଼ କେଳେଙ୍କାରୀ ଚାଲିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ହେଉଛି । ନିକଟରେ ଏସଆଇ ପରି ଆହୁରି କେତେ ନିଯୁକ୍ତି ପରୀକ୍ଷା ସରକାର ତତକ୍ଷଣାତ ବାତିଲ କରିଛନ୍ତି । ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଦେଇଥିଲେ । ଯାହାକୁ ଆଗେଇ ନେବାରେ ବିଜେପି ସରକାର ବିଫଳ ହୋଇଛି ବୋଲି କହିଛି ବିଜେଡି । ଏସଆଇ ପରୀକ୍ଷା ବାତିଲ ନେଇ ସରକାରଙ୍କୁ ଟାର୍ଗେଟ କରି ବିଜେଡି କହିଛି, ୩୦ ସେପ୍ଟେମ୍ବରରେ ପରୀକ୍ଷା ବାତିଲ ହେଲା । କାରଣ ଶ୍ରୀକାକୁଲମ ପୋଲିସ ଆଶାୟୀଙ୍କୁ ଧରି ବ୍ରହ୍ମପୁର ପୋଲିସକୁ ଦେଲା । ହେଲେ ଓଡ଼ିଶା ପୋଲିସ ଶୁଖିଲାରେ ବାହା ବାହା ନେଉଛି । ୨୫ ଲକ୍ଷ ମୂଲଚାଲରେ ଏହି ପିଲାଙ୍କୁ ମକ ଡ୍ରିଲ ପାଇଁ ନିଆଯାଉଥିଲା । ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଏହି ପିଲା ଚାକିରି ପାଇଥାନ୍ତେ । OPRBକୁ ସରକାର ପରୀକ୍ଷା ଦାୟିତ୍ୱ ଦେଇଥିଲେ । OPRB ITIକୁ ଦାୟିତ୍ୱ ଦେଲା । ITI ଗୁଜରାଟର ରିଚ ମାଇନସ ଡିଜିଟାଲକୁ ଦାୟିତ୍ୱ ଦେଲେ । OPRB ଦାୟିତ୍ୱରେ ଜଣେ ସଚ୍ଚୋଟ ଅବସରପ୍ରାପ୍ତ IPS ସନ୍ତୋଷ ଉପାଧ୍ୟାୟ ଥିଲେ । ସଚ୍ଚୋଟ ବୋଲି ସେ ଏପ୍ରିଲରେ ଇସ୍ତଫା ଦେଲେ । ତାଙ୍କ ପରେ ସୁଶାନ୍ତ ନାଥ ଦାୟିତ୍ୱ ନେଲେ । ତା ପରେ ବାସ୍ତବ ଖେଳ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି ।
ରିଚ ମାଇନସକୁ ହଟାଇ ସିଲିକନ ଟେକ ଲ୍ୟାବ ଭୁବନେଶ୍ୱରକୁ ଚାକିରି ପରିଚଳାନା ଦାୟିତ୍ୱ ଦିଆଗଲା । ଏହି କମ୍ପାନୀ କଣ ଆଗରୁ ପରୀକ୍ଷା କରିଥିଲା ? ଏହି କମ୍ପାନୀରେ ବଡ଼ ବଡ଼ ପୋଲିସଙ୍କ ପୁଅ, ବ୍ୟବସାୟୀ ଅଛନ୍ତି । ଏହା ୨୦୦ କୋଟିର ସ୍କାମ । ଓଡ଼ିଶା ପୋଲିସ କହିଲେ ୧୧୭ ପିଲାଙ୍କୁ ଗିରଫ କଲେ । ଯେଉଁମାନେ ପରୀକ୍ଷା ଦେଇଥାନ୍ତେ, ସେମାନେ ଏବେ ଜେଲରେ । ସେ ଲାଞ୍ଚ ଟଙ୍କା ତ ଗଲା, ସେମାନଙ୍କ ଭବିଷ୍ୟତ ବି ଗଲା ବୋଲି କହି ଉଦବେଗ ପ୍ରକାଶ କରିଛି ବିଜେଡି । ଘଟଣାକୁ ତିନି ଦିନ ହୋଇଗଲା । ସରକାର ତିନି ଦିନ ହେବ ନିରବ କାହିଁକି ?
କାହା ସ୍ୱାର୍ଥରେ ITI ଗୁଜୁରାଟର ଏକ ସଂସ୍ଥାକୁ ପରୀକ୍ଷା ଦାୟିତ୍ବ ଦିଆଗଲା ? ପୁଣି ସିଲିକନ ପରି ଅନଭିଜ୍ଞ ସଂସ୍ଥାକୁ କାହିଁକି ଦାୟିତ୍ୱ ସବ-ଲିଜରେ ଦିଆଗଲା ? ସିଲିକନରେ କିଏ ସବୁ ଅଛନ୍ତି ? 117 ପିଲାଙ୍କ ଲାଞ୍ଚ ଯିଏ ନେଇଛନ୍ତି, ସେମାନେ କାହିଁକି ଗିରଫ ହୋଇ ନାହାନ୍ତି ? ଗିରଫ ଦଲାଲ କିଏ ? ସନ୍ତୋଷ ଉପାଧ୍ୟାୟ କାହିଁକି ଇସ୍ତଫା ଦେଲେ ? ଦୁଇ ଥର ପ୍ରଶ୍ନପତ୍ର ଛପା ପ୍ରକ୍ରିୟାରେ କେତେ କୋଟି ସରକାରୀ ତହବିଲ ଖର୍ଚ୍ଚ ହୋଇଛି ? ତାହାର ଶ୍ୱେତପତ୍ର ଦେବେ କି ସରକାର ? ଜେଲରୁ ଫେରିବା ପରେ ୧୧୭ ପିଲାଙ୍କ ଭବିଷ୍ୟତ କଣ ହେବ ? ଲାଞ୍ଚର ମାଷ୍ଟରମାଇଣ୍ଡ କିଏ ? ଉତ୍ତରାଖଣ୍ଡରେ ବି ଏପରି ଘଟଣା ହେବାରୁ CBI କୁ ତଦନ୍ତ ଭାର ଦିଆଗଲା । ଓଡ଼ିଶାରେ ତ ପୋଲିସ ସମ୍ପୃକ୍ତ । ଏଠି କ୍ରାଇମବ୍ରାଞ୍ଚ ତାଙ୍କୁ ବାନ୍ଧିବ ତ ? ପୋଲିସ କଣ ପୋଲିସକୁ ବାନ୍ଧିବ ? ରାଜ୍ୟ ସରକାର ଏ ମାମଲା CBIକୁ ହସ୍ତାନ୍ତର କରନ୍ତୁ । ଏହା ଆନ୍ତଃରାଜ୍ୟ ରାକେଟର କାମ । ୧୫ ମାସରେ ୧୬ ପରୀକ୍ଷା ବାତିଲ ହୋଇଛି । ବିନା ରାଜନୈତିକ ସମ୍ପୃକ୍ତିରେ ଏତେ ବଡ଼ ସ୍କାମ ହୋଇ ପାରିବ ନାହିଁ । ପଦକ୍ଷେପ ନ ନେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି ଚେତାବନୀ ଦେଇଛି ।