ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ଗଛ ତଳେ ଅଙ୍ଗନବାଡି କେନ୍ଦ୍ର । ବିପଦପୂର୍ଣ୍ଣ ଭାବେ ପାଠ ପଢୁଛନ୍ତି କୋମଳମତି ଶିଶୁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଦିଗହରା ମହିଳା ଓ ଶିଶୁ ବିକାଶ ଯୋଜନା । କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଦୀର୍ଘ ଦିନ ହେବ ଗଛ ତଳେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ହେଲେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରାକ ଶିକ୍ଷାର ବିକଳ ଚିତ୍ର । ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ବିପଦ ମୁଣ୍ଡେଇ ପାଠ ପଢୁଛନ୍ତି କୋମଳମତି ପିଲା । ମାଲକାନଗିରି ଜିଲ୍ଲା ମାଥିଲିରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । ଦୃଷ୍ଟି ଦେଉନି ସ୍ଥାନୀୟ ପ୍ରଶାସନ । ଦୀର୍ଘ ଦିନ ହେବ ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁରେ ଗଛ ତଳେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ବର୍ଷ ତମାମ ଗଛ ତଳେ ବସି ପାଠ ପଢୁଛନ୍ତି ପିଲା । ଯାହା ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମାଥିଲି ବ୍ଲକରେ ୨୧ ଗୋଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର ନାହିଁ । ଫଳରେ ଭଡା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଲୁଲେର କେନ୍ଦ୍ର ପାଇଁ ମଧ୍ୟ ଭଡା ଘର ଯୋଗାଇ ଦିଆଯାଇଛି । ହେଲେ ତାହା ଭଙ୍ଗାଦଦରା ହୋଇଥିବାରୁ ଅଙ୍ଗନବାଡି ଦିଦି ପିଲାଙ୍କୁ ଗଛ ତଳେ ବସାଇ ପାଠ ପଢାଉଛନ୍ତି । ଲୁଲେର କେନ୍ଦ୍ର ପାଇଁ ଅନୁଦାନ ଆସିଛି ହେଲେ ସ୍ଥାନ ବିବାଦ ପାଇଁ କାମ ଆରମ୍ଭ ହୋଇପାରିନି । ସମସ୍ୟା ସଂପର୍କରେ ଅଙ୍ଗନବାଡି କର୍ମୀ ଅନେକ ଥର ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଡିଓ । ଲୁଲେର ଗାଁରେ କେବେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଉଛି ? ପିଲା କେବେ ସୁବିଧାରେ ବସି ପାଠ ପଢୁଛନ୍ତି ? ନା ବିଡିଓଙ୍କ ପ୍ରତିଶୃତି ପାଣିର ଗାର ପାଲଟୁଛି ? ତାହା ଆଗାମୀ ଦିନରେ ଜଣାପଡିବ ।