ପ୍ରଶାନ୍ତ କିଶୋର ଦେଲେ ହିସାବ, କହିଲେ କେଉଁଠୁ ଆସୁଛି ତାଙ୍କ ଦଳ ପାଇଁ ପାଣ୍ଠି

1 min read

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଉଭୟ ବିରୋଧୀ ଏବଂ ଶାସକ ଦଳକୁ ଟାର୍ଗେଟ କରି ଆସୁଥିବା ପ୍ରଶାନ୍ତ କିଶୋର ସବୁବେଳେ ବେଶ ଚର୍ଚ୍ଚାରେ ରହିଛନ୍ତି । ବିରୋଧୀମାନେ ତାଙ୍କୁ ବିଜେପିର ବି ଟିମ ବୋଲି କହୁଥିବାବେଳେ ସରକାରୀ ଦଳ ମଧ୍ୟ ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି । ତେବେ ପି.କେ ଜନସୂରଜ ପାର୍ଟି ଗଠନ କରି ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବା ଲାଗି ପୂର୍ବରୁ ଘୋଷଣା କରିସାରିଛନ୍ତି । ତେବେ ତାଙ୍କ ଦଳ କେଉଁଠୁ ପାଣ୍ଠି ଆଣୁଛି । ଏହାକୁ ନେଇ ବାରମ୍ବାର ଟାର୍ଗେଟ କରାଯାଉଥିବାବେଳେ ନିଜେ ଏହାର ଉତ୍ତର ରଖିଛନ୍ତି ପି.କେ ।

ପି.କେ କହିଛନ୍ତି କି, ମୋ ଉପରେ ବାରମ୍ବାର ଆରୋପ ଲଗାଉଥିବା ଦୁର୍ନୀତିଗ୍ରସ୍ତ ନେତାମାନେ ଜାଣି ରଖନ୍ତୁ । ମୁଁ ଜଣେ ରାଜନୈତିକ ପରାମର୍ଶଦାତା । ମୋ ପରାମର୍ଶରେ ବଡ଼ ବଡ଼ ନେତା ସରକାର ଗଠନ କରିଛନ୍ତି । ଯାହା ପାଇଁ ମୋତେ ଫିସ୍ ମିଳୁଛି । ପୂର୍ବରୁ ମୁଁ କୌଣସି ପ୍ରାପ୍ୟ ନେଉନଥିଲି । ମାତ୍ର ୨୦୨୨ ମସିହାର ପରଠାରୁ ଫି ନେଇଛି । ଏହାପରଠାରୁ ଯେଉଁମାନଙ୍କୁ ପରାମର୍ଶ ଦେଇଛି ମୁଁ ପ୍ରାପ୍ୟ ଆକାରରେ ୨୫୧ କୋଟି ଟଙ୍କା ପାଇଛି । ଯେଉଁଥିରୁ ୩୦ କୋଟି ୯୫ ଲକ୍ଷ ଟଙ୍କା ଜିଏସଟି ଦେଇଛି । ଏହାସହ ୨୦ କୋଟି ଟଙ୍କାର ଆୟକର ଟ୍ୟାକ୍ସ ଦେଇଛି । ଏହାସହ ଜନସୂରଜ ପାର୍ଟିକୁ ୯୮ କୋଟି ଟଙ୍କା ମଧ୍ୟ ଦେଇଛି ।