ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜଳୁଛି ନିଆଁ

ନନ୍ଦିଘୋଷ ବ୍ୟୁରୋ : ନେପାଳର ଜେନ ଜେଡ ପ୍ରଭାବ ଜାମ୍ମୁ ଓ କାଶ୍ମୀରରେ। ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଜୋର ଧରିଲା ଆନ୍ଦୋଳନ। ଘଟଣାରେ ୪ ଜଣ ପ୍ରାଣ ହରାଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲଦାଖରେ କର୍ଫ୍ୟୁ ଜାରି କରାଯାଇଛି। ୫ଜଣଠାରୁ ଅଧିକ ଲୋକଙ୍କ ସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଛି। ଲଦାଖରେ ଥିବା ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ। ଏହା ସହ କିଛି ଯାନବାହନକୁ ପୋଡିଦିଆଯାଇଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।
ଭାରତୀୟ ନ୍ୟାୟ ସଂହିତାର ଧାର ୧୬୩ ଅନୁସାରେ ଲେହ ଲଦାଖରେ କେନ୍ଦ୍ର ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ। ଗତ ସେପ୍ଟେମ୍ବର ୧୦ରୁ ବିଶିଷ୍ଟ ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ଅନଶନ ପରେ ଏହି ଆନ୍ଦୋଳନ ତୀବ୍ର ହୋଇଛି।
ଗତ ୨୩ ତାରିଖରେ ସୋନମ ନିଜର ୧୫ ଦିନିଆ ଅନଶନ ଭଙ୍ଗ କରିଥିଲେ। ତେବେ ଆନ୍ଦୋଳନକାରୀ ରାଜ୍ୟ ମାନ୍ୟତା ଦାବିରେ ଅଧିକ ସଂଘବଦ୍ଧ ହୋଇଥିଲେ। ଲେହସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ପୋଲିସ ଗାଡିରେ ନିଆଁ ଲଗାଇଦେଇଥିଲେ। ଆସନ୍ତା ଅକ୍ଟୋବର ୬ରେ ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ତାରିଖକୁ ମାନିବାକୁ ନାରାଜ ଅଛନ୍ତି ଆନ୍ଦୋଳନକାରୀ। ଶାନ୍ତି ରକ୍ଷା କରିବା ଲାଗି ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି ସୋନମ। ସେପଟେ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି- ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଧୋକା ଦିଆଯାଇଛି।