ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବେ ହେବ ନାହିଁ। ରାଜ୍ୟ ବିଜେପି ସଭାପତିଙ୍କ ଏହି ସୂଚନା ପରେ ଆଶାୟୀଙ୍କ ମନ ଫିକା । ୪ ମାସ ହେଲାଣି ବିଜେପିର ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭାପତି ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ନିଗମ ଓ ବୋର୍ଡ଼ ନିଯୁକ୍ତି ହେବ ବୋଲି କହୁଥିଲେ। ଏବେ ସଭାପତିଙ୍କ ନାସ୍ତିବାଣୀ ପରେ ଅଯଥା ବିଳମ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଷ୍ଠୀ କନ୍ଦଳ ଏବଂ ଓଡ଼ିଶା ବିଜେପିକୁ ହାଇକମାଣ୍ଡ ଗୁରୁତ୍ବ ନ ଦେବା କାରଣରୁ ବିଳମ୍ବ ହେଉଛି ବୋଲି ସମୀକ୍ଷକ କହିଛନ୍ତି। ପ୍ରକ୍ରିୟା ବିଳମ୍ବକୁ ବିଜେପି ବିଧାୟକ ସ୍ବୀକାର କରିଥିବା ବେଳେ ଲୋକହିତରେ କାମ କରୁଛୁ ବୋଲି କହିଛନ୍ତି।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜ୍ୟ ସଭାପତି ସିଧା ଶୁଣାଇଲେ, ଏବେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବନି। ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ଖୁବ୍ ଶୀଘ୍ର ବୋଲି ସେ ପୁଣି ଦୋହରାଇଛନ୍ତି। ହେଲେ ରାଜ୍ୟ ବିଜେପି କମିଟି ବାବଦରେ ନୀରବ ମନମୋହନ ସାମଲ। ୪ ମାସ ହେଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ହେଉଥିବା ବେଳେ କାହିଁକି ଏଥିରେ ପଡ଼ିଲା ଯବନିକା ? ମୁଖିଆଙ୍କ ସୂଚନା ପରେ ବିଳମ୍ବର କାରଣକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ସମୀକ୍ଷକଙ୍କ ମତରେ ରାଜ୍ୟ ବିଜେପିରେ ଗୋଟିଏ ନିଷ୍ପତ୍ତି ହୋଇପାରୁନାହିଁ। ଗୋଷ୍ଠୀ କନ୍ଦଳ ଯୋଗୁଁ ତାଲିକା ଚୂଡ଼ାନ୍ତ ହୋଇପାରୁନାହିଁ। ଜାତୀୟସ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ନେଇ କିଛି ବାଟ ଫିଟୁନଥିବାରୁ ରାଜ୍ୟ ବିଜେପି ସଙ୍ଗଠନ ଉପରେ ହାଇକମାଣ୍ଡ ଏତେଟା ଗୁରୁତ୍ବ ଦେଉନାହାନ୍ତି ବୋଲି ସମୀକ୍ଷକ କହିଛନ୍ତି।

ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ଓ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦି ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ କେତେକ ନେତା ଆଶା କରିଛନ୍ତି। ସରକାରକୁ ୧୪ ମାସ ପୂରିବାକୁ ବସିଥିବା ବେଳେ ନିଗମ ଓ ବୋର୍ଡ଼ ତାଲିକା ଚୁଡ଼ାନ୍ତ ହୋଇପାରୁନାହିଁ। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଳମ୍ବ ହେଉଛି ସତ, ହେଲେ ଯାହା ହେଉଛି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ।

ମନମୋହନ ସାମଲ ସଭାପତି ଦାୟିତ୍ବ ନେବାର ୪ ମାସ ପରେ ବି ଗଢା ହୋଇପାରୁନାହିଁ ବିଜେପିର ଟିମ୍ ଓଡ଼ିଶା। ନିଗମ ଓ ବୋର୍ଡ଼ରେ ଉପଯୁକ୍ତଙ୍କୁ ଥଇଥାନ କରିବା, ଅସନ୍ତୁଷ୍ଟଙ୍କୁ ମନାଇବା, ଦଳରେ ଥିବା ଗୋଷ୍ଠୀ ବିବାଦ ଚର୍ଚ୍ଚାକୁ ପଛରେ ପକାଇବା ସଭାପତିଙ୍କ ପାଇଁ ପାଲଟିଛି ବଡ଼ ଆହ୍ବାନ।